ସହମତିରେ ଶାରୀରିକ ସମ୍ବନ୍ଧ ରଖିବାର ବୟସ ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ କରିବା ପ୍ରସ୍ତାବ, ଆଇନ କମିଶନଙ୍କ ଅଗ୍ରାହ୍ୟ

ନନ୍ଦିଘୋଷ ବ୍ୟୁରୋ: ସହମତିରେ ଶାରୀରିକ ସମ୍ବନ୍ଧ ରଖିବାର ବୟସ ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ କରିବା ପ୍ରସ୍ତାବକୁ ଆଇନ କମିଶନଙ୍କ ଅଗ୍ରାହ୍ୟ । ଏହା କରାଗଲେ ସମାଜ ଉପରେ ନକରାତ୍ମକ ପ୍ରଭାବ ପଡିବ ବୋଲି କହି ଏହାକୁ କମିଶନ ଅଗ୍ରାହ୍ୟ କରିଦେଇଛନ୍ତି । ଏପରି ଆଇନ ଆସିଲେ ବାଲ୍ୟ ବିବାହ ଏବଂ ଶିଶୁ ଚାଲାଣ ବିରୋଧୀ ଅଭିଯାନ ପ୍ରଭାବିତ ହେବ ବୋଲି କହିଛନ୍ତି ଆଇନ କମିଶନ । ଶିଶୁଙ୍କୁ ଯୌନ ହିଂସାରୁ ସୁରକ୍ଷା ଦେଉଥିବା ପକ୍ସୋ ଆଇନର ବୟସସୀମା ହ୍ରାସ ନ କରିବାକୁ ଆଇନ କମିଶନ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି ।

ଏସଂକ୍ରାନ୍ତରେ ନିଜ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛନ୍ତି କମିଶନ । ଆଇନରେ ଥିବା କଠୋର ନିୟମ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହାର ଅପବ୍ୟବହାରରେ କଟକଣା ଲଗାଇବା ପାଇଁ କିଛି ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି କମିଶନ । ଯୁବତୀଙ୍କ ଇଚ୍ଛାରେ ବିବାହ ନିଷ୍ପତ୍ତିକୁ ବିରୋଧ କରି ଅଭିଭାବକ ଏହାକୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି। ସହମତିରେ ସମ୍ବନ୍ଧ ରଖୁଥିବା ଯୁବକଙ୍କୁ ଏହି ଆଇନର ଶିକାର ହେବାକୁ ପଡୁଛି ବୋଲି କହିଛନ୍ତି କମିଶନ ।

ଜଷ୍ଟିସ ଋତୁରାଜ ଅୱସ୍ଥିଙ୍କ ନେତୃତ୍ବାଧୀନ ଆଇନ କମିଶନ ଯୌନ ସମ୍ବନ୍ଧ ରଖୁଥିବା ନାବାଳକଙ୍କ ମଧ୍ୟରେ ବୟସର ତାରତମ୍ୟ ଦେଖିବାକୁ କହିଛନ୍ତି । ପୁଅ ଓ ଝିଅ ବ୍ୟବଧାନ ଅଧିକ ନ ହେବା ଉଚିତ କମିଶନ କହିଛନ୍ତି । ଯଦି ବୟସ ବ୍ୟବଧାନ ୩ ବର୍ଷ କିମ୍ବା ଏହାଠାରୁ ଅଧିକ ହୁଏ ତେବେ ଏହାକୁ ଅପରାଧ ଶ୍ରେଣୀଭୁକ୍ତ ବୋଲି ମାନିବା ଉଚିତ । ଆଇନକୁ କୋହଳ କରିବା ପରିବର୍ତ୍ତେ ଅପବ୍ୟବହାରକୁ ବନ୍ଦ କରାଯାଉ ବୋଲି କମିଶନ ପ୍ରସ୍ତାବ ଦେଇଛନ୍ତି ।