ଗୁଳି ମାରି ଦୁଇ ସହକର୍ମୀଙ୍କୁ ମାରିଲେ ଯବାନ

ପୋରବନ୍ଦର: ଗୁଜରାଟ ବିଧାନସଭା ନିର୍ବାଚନ ପର୍ବରୁ ଫୁଟିଲା ଗୁଳି । ଆଉ ଏହି ଗୁଳି ମାରିଛନ୍ତି ଜଣେ ଯବାନ । ତାଙ୍କ ଗୁଳିରେ ଦୁଇ ସହଯୋଗୀ ଟଳି ପଡ଼ିଥିବା ବେଳେ ଅନ୍ୟ ଦୁଇ ଯବାନ ଜୀବନ ସହ ସଂଗ୍ରାମ କରୁଛନ୍ତି । ଘଟଣାଟି ପୋରବନ୍ଦର ଅଞ୍ଚଳରେ ଘଟିଛି । ନିର୍ବାଚନ ଡ୍ୟୁଟିରେ ନିୟୋଜିତ ସିଆରପିଏଫ ଯବାନ ଏହି ଗୁଳିକାଣ୍ଡ ଭିଆଇଛନ୍ତି ।

କୌଣସି କାରଣରୁ ଦୁଇ ଯବାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଜଣେ ଯବାନ ଏକେ ୫୬ ରାଇଫଲରେ ସହଯୋଗୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଅଭିଯୁକ୍ତ ଓ ମୃତ ଯବାନ ହେଲେ ମଣିପୁରର ଭାରତୀୟ ରିଜର୍ଭ ବାଟାଲିୟନର ସଦସ୍ୟ । ସିଏପିଏଫ ଅଧୀନରେ ନିର୍ବାଚନ ପାଇଁ ସମସ୍ତଙ୍କୁ ନିୟୋଜିତ କରାଯାଇଥିଲା । ଟୁକଡା ଘୋଷା ଗାଁରେ ଥିବା ଗୋଟିଏ ବାତ୍ୟା ଆଶ୍ରୟସ୍ଥଳରେ ରହୁଥିଲେ ବୋଲି ଜିଲ୍ଲାପାଳ ଏ ଏମ ଶର୍ମା କହିଛନ୍ତି । ତେବେ କାହିଁକି ଯବାନ ଜଣଙ୍କ ଗୁଳ ଚାଳନା କଲେ ତାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି ।