କଟକଣାରେ ପାଳନ ହେଉଛି ନୂଆଁଖାଇ, ନା ଶୁଭୁଛି ଢୋଲ ମାଦଲ ନା ଆୟୋଜିତ ହେଉଛି ସାଂସ୍କୃତିକ ଭେଟଘାଟ୍

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ଶାର ଗଣପର୍ବ ନୂଆଁଖାଇ । ହେଲେ ଖାଁ ଖାଁ ଲାଗୁଛି ସହର ବଜାର । ନା ଶୁଭୁଛି ଢୋଲ ମାଦଲ, ନା ଆୟୋଜିତ ହେଉଛି ସାଂସ୍କୃତିକ ଭେଟଘାଟ୍ ମହୋତ୍ସବ । ଚଳିତବର୍ଷ କରୋନା କଟକଣା ଯୋଗୁ ଫିକା ପଡିଛି ଉତ୍ସବ । ତେବେ ଘରେ ଘରେ ନୂଆଖାଇ ପାଇଁ ହୋଇଛି ପ୍ରସ୍ତୁତି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ପରେ ଘରେ ଘରେ ଲୋକେ ଖାଇବେ ନୂଆ । ତେବେ ଏଥର ମାଆ ସମଲେଶ୍ୱରୀଙ୍କୁ ଭକ୍ତ ଦର୍ଶନ କରିବେ ଅନଲାଇନ୍‌ରେ । ଏନେଇ ସମସ୍ତ ପ୍ରସ୍ତୁତି ହୋଇସାରିଛି । ସୋସିଆଲ୍ ମିଡିଆରେ ଲାଇଭ୍ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ।

Samaleswari

ନୂଆଁଖାଇ ଦିନ ପୂରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠେ । ଏହି ଅବସରରେ ନୂଆଁଖାଇ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଶୋଭାଯାତ୍ରା ସହ ଦେବାଦେବୀଙ୍କ ମନ୍ଦିରକୁ ଯାଇଥାଏ । ପୂର୍ବ ନୀତି ନିର୍ଘଂଟ ଅନୁଯାୟୀ ରବିବାର ସକାଳ ୯.୩୫ରୁ ୯ଟା ୫୦ ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ପରମ୍ପରା ଅନୁସାରେ ପ୍ରଥମେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି କରାଯିବା ପରେ ପରିବାରର ସଦସ୍ୟମାନେ ଏକାଠି ହୋଇ ନୂଆ ଖାଇଥାନ୍ତି ।

କିନ୍ତୁ ଚଳିତ ବର୍ଷ ନିରାଡମ୍ବର ଭାବେ ପାଳିତ ହେବ ଏହି ପର୍ବ। ଏମିତିକି ଇଷ୍ଟ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେନି ସାଧାରଣ ଲୋକ । କରୋନା ମହାମାରୀ ଯୋଗୁଁ କଟକଣା ରହିଥିବାରୁ ମନ୍ଦିରକୁ ସାଧାରଣ ଲୋକଙ୍କୁ ଅନୁମତି ନାହିଁ। କେବଳ ସେବାୟତମାନେ ଧାର୍ଯ୍ୟ ଲଗ୍ନ ଅନୁସାରେ ଇଷ୍ଟ ଦେବୀଙ୍କୁ ନବାନ୍ନ ଲାଗି କରାଇବେ ।

Leave a Reply