ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣ ଘଟଣା: ଏମଆଇ ହେଲିକପ୍ଟର, ଡ୍ରୋନ, ସ୍ନିଫର ଡଗ୍ ଜରିଆରେ ସର୍ଚ୍ଚ ଅପରେସନ

1 min read

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣ ଘଟଣା । ବାତା ଦୋରିୟା ଘଞ୍ଚ ଜଙ୍ଗଲରେ ଜାରି ରହିଛି ସର୍ଚ୍ଚ ଅପରେସନ । ଏମଆଇ ହେଲିକପ୍ଟର, ସ୍ନିଫର ଡଗ୍, ଡ୍ରୋନ୍ ଜରିଆରେ ଚାଲିଛି ଖାନ ତଲାସି । ସର୍ଚ୍ଚ ଅପରେସନରେ ନିୟୋଜିତ ହୋଇଛନ୍ତି ୨ ହଜାରରୁ ଅଧିକ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଯବାନ । ଏହି ଘଟଣାରେ ୧୨ଜଣକୁ ଅଟକ ରଖିଛି ପୋଲିସ । ଅଟକ ରହିଥିବା ବ୍ୟକ୍ତିଙ୍କ ନିକଟ ଇତିହାସ, ଆତଙ୍କୀ ସମ୍ପର୍କିତ କାର୍ଯ୍ୟକଳାପ ଆଦି ସମ୍ପର୍କରେ ଚାଲିଛି ଜେରା । ବିସ୍ଫୋରଣରେ ଷ୍ଟିକି ବମ୍ ବ୍ୟବହାର କରାଯାଇଥିବା ଆଶଙ୍କା କରାଯାଉଛି । ଷ୍ଟିକି ବମ୍ ହେଉଛି ଏପରି ଏକ ବୋମା ଯାହାକି ଗାଡ଼ିରେ ଖଞ୍ଜା ଯାଇଥାଏ ଏବଂ ରିମୋଟ କିମ୍ବା ଟାଇମର ଜରିଆରେ ବିସ୍ଫୋରଣ ଘଟାଯାଇଥାଏ ।

ସେପଟେ ଫରେନସିକ ଟିମ୍ ବିଭିନ୍ନ ନମୁନା ସଂଗ୍ରହ କରିଛି । ଏହାଛଡ଼ା ଯବାନଙ୍କ ଉପରକୁ  ୩୬ ରାଉଣ୍ଡ ବୁଲେଟ ଫାୟାର କରାଯାଇଥିବା ପ୍ରମାଣ ମିଳିଛି । ଜାମ୍ମୁ ଓ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସ୍ଥିତି ସମୀକ୍ଷା କରିଛନ୍ତି । ଡେପୁଟି ଇନ୍ସପେକ୍ଟର ଜେନେରାଲ ରାଙ୍କର ଜଣେ ଅଫିସରଙ୍କ ନେତୃତ୍ବରେ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସିର ଏକ ଟିମ୍ ଘଟଣାସ୍ଥଳରେ ଛାନବିନ୍ ଚଲାଇଛି । ଭିମ୍ବାର ଗଳି ଓ ଜରାନ ଓ୍ୱାଲି ଗଳିରେ ଯାନବାହନ ଚଳାଚଳ ବାତିଲ କରାଯାଇଛି । ଆତଙ୍କବାଦୀମାନେ ରାଜୌରୀ ଓ ପୁଞ୍ଚରେ ଥିବା ଆଶଙ୍କା କରାଯାଉଥିବାରୁ ସେଠାରେ ସର୍ଚ୍ଚ ଅପରେସନ କରାଯାଉଛି । ଏହି ଅଞ୍ଚଳରେ ବି ଜାମ୍ମୁ ଓ କାଶ୍ମୀର ଗଜନଭି ଫୋର୍ସ ବା ଜେକେଜିଏଫ ସକ୍ରିୟ ରହିଛି ଏବଂ ଏହାର କମାଣ୍ଡର ରଫିକ ଅହମ୍ମଦ ଏଠାରେ ରହୁଛି ବୋଲି ପୋଲିସ କହିଛି ।

ପୂର୍ବରୁ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଥିଲା ନିଷିଦ୍ଧ ଘୋଷିତ ଆତଙ୍କୀ ସଂଗଠନ ପିପୁଲସ ଆଣ୍ଟିଫାସିଷ୍ଟ ଫ୍ରଣ୍ଟ ବି ପିଏଏଫଏଫ । ଏପରିକି ଏହି ଆକ୍ରମଣ ପଛରେ ଲସକର-ଏ-ତଏବା ସଂଗଠନର ହାତ ରହିଛି ବୋଲି ଆଶଙ୍କା କରାଯାଉଛି । ଏହି ଘଟଣାରେ ୫ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ଯବାନ ଆହତ ହୋଇଥିଲେ । ତେଣେ ରାଜୌରି ଓ ପୁଞ୍ଚ ଜିଲ୍ଲା ସୀମା ଓ ନିୟନ୍ତ୍ରଣ ରେଖାରେ ହାଇଆଲର୍ଟ ଜାରି କରାଯାଇଛି । ସହିଦ ଯବାନମାନେ ହେଲେ ହାବିଲଦାର ମନଦୀପ ସିଂ, ଲାନସ ନାଏକ ଦେବାଶିଷ ବିଶ୍ବାଳ, ଲାନସ ନାଏକ କୁଲଓ୍ବନ୍ତ ସିଂ, ସିପାହୀ ହରକିଷନ ସିଂ ଓ ସିପାହୀ ସେବକ ସିଂ । ତେଣେ କୁଲଓ୍ବନ୍ତଙ୍କ ବିୟୋଗରେ ପଞ୍ଜାବ ମୋଗାରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ହଜାର ହଜାର ଜନତା ସହିଦଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି ।