ଚୋରି ହୋଇଗଲା ପୋଖରୀ, ରାତାରାତି ତିଆରି ହୋଇଗଲା କୁଡ଼ିଆ

1 min read

ପାଟନା: ରାତାରାତି ଗାଏବ ହୋଇଗଲା ପୋଖରୀ । ପୋଲିସ୍ ପହଞ୍ଚିବା ଆଗରୁ ପୋଖରୀକୁ ଚୋରି କରିନେଲେ ଜମି ମାଫିଆ । ବିହାରରେ ଏପରି ଏକ ଘଟଣା ସାରା ଅଞ୍ଚଳ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବିହାର ଦରଭଙ୍ଗା ବିଶ୍ବବିଦ୍ୟାଳୟ ଥାନାର ଓ୍ବାର୍ଡ ନମ୍ବର-୪ରେ ଏକ ପୋଖରୀ ତିଆରି କରାଯାଇଥିଲା । ସର୍ବସାଧାରଣ ଏହାକୁ ବ୍ୟବହାର କରିଥାନ୍ତେ । କିନ୍ତୁ ଜମି ମାଫିଆଙ୍କ କବଳରୁ ବର୍ତ୍ତି ନଥିଲା ପୋଖରୀ । ରାତାରାତି ମାଫିଆମାନେ ଗାଏବ କରିନେଲେ । ପୋଖରୀରେ ମାଟି ଭର୍ତ୍ତି କରି ସେଠାରେ ଏକ କୁଡ଼ିଆ ତିଆରି କରିଦେଲେ । ସକାଳ ହେଲା ବେଳକୁ ପୋଖରୀ ଗାଏବ ହୋଇ ସେଠାରେ ଏକ କୁଡ଼ିଆ ତିଆରି ହୋଇଯାଇଛି । ଆଉ ଜମି ମାଫିଆମାନେ ଫେରାର୍ ହୋଇଯାଇଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୋଖରୀଟି ସର୍ବସାଧାରଣଙ୍କ ପାଇଁ ଥିଲା । ସେଥିରେ ମାଛଚାଷ ମଧ୍ୟ କରାଯାଉଥିଲା । କିନ୍ତୁ ଏହି ଯାଗାରେ ଜମି ଦର ବଢ଼ୁଥିବାରୁ ଜମି ମାଫିଆଙ୍କ ଆଖି ଏଥିରେ ପଡ଼ିଥିଲା । ସେମାନେ ପୋଖରୀକୁ ପୋତିବା ଆରମ୍ଭ କରିଥିଲେ । ଏ ନେଇ ସେମାନେ ସ୍ଥାନୀୟ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ କରିଥିଲେ । ଏହା ପରେ ସରକାରୀ କର୍ମଚାରୀ ତାଙ୍କର କିଛି ସାମଗ୍ରୀ ଜବତ କରିବା ସହ ପୋଖରୀ ପୋତିବା କାମ ବନ୍ଦ କରିଥିଲେ । ଏହା ପରେ ବି ପୋଖରୀ ପୋତା କାମ ଜାରି ରଖିଥିଲେ ମାଫିଆ । ଏବେ ଅନ୍ଧାର ରାତିର ସୁଯୋଗ ନେଇ ପୋଖରୀକୁ ପୋତି ତା’ ଉପରେ ଏକ କୁଡ଼ିଆ କରିଦେଇଛନ୍ତି।