ବିପଦରେ ଦୟା ନଦୀ, ୧୦ ବର୍ଷ ମଧ୍ୟରେ ଢେର୍ ବଢ଼ିଛି ପ୍ରଦୂଷଣ

1 min read
Pollution Increased During Last 10 Years In Daya River

ଭୁବନେଶ୍ୱର: ଗମ୍ଭୀର ହେବାରେ ଲାଗିଛି ଦୟା ନଦୀର ଅବସ୍ଥା । ଭୁବନେଶ୍ୱରର ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଦ୍ୱାରା ବ୍ୟବହୃତ ଦୂଷିତ ଜଳ ସିଧାସଳଖ ଏହି ନଦୀକୁ ଛଡ଼ାଯାଉଛି । ଦେଶର ନଂ-୧ ସ୍ମାର୍ଟସିଟି ହୋଇଥିଲେ ମଧ୍ୟ ଏଠାରେ ଟ୍ରିଟମେଣ୍ଟ ପ୍ଲାଣ୍ଟ ବା ବର୍ଜ୍ୟ ଜଳ ବିଶୋଧନ ପ୍ରକଳ୍ପ ନ ଥିବାରୁ କେବଳ ଦୟା ନଦୀରେ ମଧ୍ୟ ପ୍ରଦୂଷଣ ମାତ୍ରା ଗତ ୧୦ ବର୍ଷ ମଧ୍ୟରେ ଢେର୍‌ ବଢ଼ିଯାଇଛି । ନଦୀକୁ ନିର୍ଭର କରି ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ୩ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି । ହେଲେ ଦୟା ପ୍ରତି ଗତ କିଛିବର୍ଷ ହେଲା ସୃଷ୍ଟି ହୋଇଛି ବିପଦ ।

Pollution Increased During Last 10 Years In Daya River

ନଦୀଜଳ ପ୍ରଦୂଷଣ ରୋକିବା ପାଇଁ ରାଜଧାନୀର ୬ଟି ସ୍ଥାନରେ ହେବାକୁ ଥିବା ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଏଯାଏଁ କାର୍ଯ୍ୟକ୍ଷମ ହୋଇପାରିନି । ଦୟା ନଦୀ ଉପରେ ନିର୍ଭର କରି ପ୍ରାୟ ୧୨୦୦ ହେକ୍ଟର ଜମିରେ କୃଷି କାର୍ଯ୍ୟ ହେଉଛି । ୩ ହଜାରରୁ ଅଧିକ ମତ୍ସ୍ୟଜୀବୀ ପରିବାର ରୋଜଗାର ପାଉଛନ୍ତି । ପିଇବା ପାଣି ଲାଗି ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଦୟା ଏବଂ ଏହାର ଶାଖା ନଦୀ ଉପରେ ନିର୍ଭର କରୁଛନ୍ତି । ୧୦ ଲକ୍ଷ ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି ।

Pollution Increased During Last 10 Years In Daya River

ହେଲେ ୩ ଦଶନ୍ଧି ହେଲା ଦୟାନଦୀର ଜଳ ବ୍ୟବହାର ଅନୁପଯୋଗୀ ହୋଇଯାଇଛି । ଭୁବନେଶ୍ୱରର ପ୍ରାକୃତିକ ଡ୍ରେନ୍‌ ସମେତ ନାଳରୁ ଯେଉଁ ଆବର୍ଜନା ବାହାରୁଛି ତାହା ସିଧା ଗଙ୍ଗୁଆ ଦେଇ ଦୟାରେ ମିଶୁଛି । ସହରରେ ଥିବା ୮୮ଟି ଶିଳ୍ପ ସଂସ୍ଥା ଏବଂ ମଞ୍ଚେଶ୍ୱର ଓ ରସୁଲଗଡ଼ ଶିଳ୍ପାଞ୍ଚଳରୁ ବାହାରୁଥିବା ବିଷାକ୍ତ ଜଳ ଦ୍ୱାରା ନଦୀ ପ୍ରଦୂଷିତ ହେଉଛି । ୱାଟକୋ ଓ ବିଏମସି ଇଞ୍ଜିନିୟରିଂ ସେଲର ସହଯୋଗରେ ୬ଟି ଏସ୍‌ଟିପିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା କାର୍ଯ୍ୟକ୍ଷମ ହେଲେ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହୋଇପାରିବେ ।

Leave a Reply