କମିଛି ପ୍ରଦୂଷଣ, ବାଣ ନଫୁଟିବାରୁ ସୁଧୁରିଛି ସ୍ଥିତି…
ଭୁବନେଶ୍ୱର: କମିଛି ପ୍ରଦୂଷଣ, କାରଣ ଏଥର ଦୀପାବଳିରେ ଫୁଟିନି ବାଣ । କରୋନା ପାଇଁ ଚଳିତ ବର୍ଷ ବାଣ ଫୁଟା ଉପରେ ଲାଗିଥିଲା କଟକଣା । ଏଥିପାଇଁ ପ୍ରଦୂଷଣ କମ୍ ହୋଇଛି । ତେବେ ବାଣ ଫୁଟାଇବାକୁ ସଂପୂର୍ଣ୍ଣ ନିଷେଧ କରିବାକୁ ଦାବି କରିଛନ୍ତି ପରିବେଶବିତ ।
ଲୁଚାଛପା ହୋଇ କିଛି ଲୋକ ବାଣ ଫୁଟାଇଲେ ସତ କିନ୍ତୁ ପୂର୍ବ ବର୍ଷ ତୁଳନାରେ କମ୍ ଥିଲା ବାଣ ଫୁଟା । ଫଳରେ ରାଜଧାନୀ ସମେତ ରାଜ୍ୟରେ କମିଛି ପ୍ରଦୂଷଣ । ୨୦୧୮ରେ ରାଜଧାନୀ ଭୁବନେଶ୍ୱରରେ ବାୟୁର ଗୁଣାତ୍ମକ ସୂଚକାଙ୍କ ସର୍ବାଧିକ ୩୬୯ ଥିଲା । ଏହି ସଂଖ୍ୟା ଚିନ୍ତାରେ ପକାଇଥିଲା । କିନ୍ତୁ ଚଳିତ ବର୍ଷ ଏହି ସଂଖ୍ୟା ଖସି ସର୍ବାଧିକ ୨୪୯ରେ ରହିଛି ।
ଦୀପାବଳି ରାତିରେ ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ଏକ୍ୟୁଆଇ ବା ବାୟୁର ଗୁଣାତ୍ମକ ସୂଚକାଙ୍କ ଥିଲା ୨୦୧, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ୨୧୧ । ୟୁନିଟ୍ ୮ ଅଞ୍ଚଳରେ ଏହା ୨୩୯ ଥିଲା, ମାଷ୍ଟର କ୍ୟାଣ୍ଟିନ୍ ଅଞ୍ଚଳରେ ଏହା ବଢି ୨୪୯ ପହଞ୍ଚିଥିଲା । ଏକ୍ୟୁଆଇ ୨୦୦ ଟପିଥିଲେ ବି ପୂର୍ବ ବର୍ଷଠାରୁ ଏହାକମ୍ ଥିବାରୁ ବାଣ ଫୁଟାଇବା ଉପରେ ଲାଗିଥିବା କଟକଣା ପରିବେଶ ପାଇଁ ବହୁତ ଭଲ ବୋଲି ପରିବେଶବିତ୍ ମତ ଦେଇଛନ୍ତି ।