ଓଡ଼ିଶାର ବିରୋଧ ସତ୍ତ୍ୱେ ଆଜି କୋଟିଆରେ ପଡିବ ଭୋଟ୍

ଓଡ଼ିଶାର ବିରୋଧ ସତ୍ତ୍ୱେ ଆଜି କୋଟିଆରେ ପଡିବ ଭୋଟ୍ । ନିଜେ ଦେଇଥିବା ନିର୍ଦ୍ଦେଶରୁ ଓହରିଛନ୍ତି ଆନ୍ଧ୍ର ହାଇକୋର୍ଟ । ଆନ୍ଧ୍ର ସରକାରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ଅନୁମତି ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ ବିଜ୍ଞପ୍ତି ଅନୁଯାୟୀ ଆଜି କୋଟିଆ ପଂଚାୟତ ଅନ୍ତର୍ଗତ ତଳ ଗଂଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ନେଇ ଜିଲ୍ଲା ପରିଷଦ ନିର୍ବାଚନ କରୁଛି ଆନ୍ଧ୍ର ।

ଏହାକୁ ଓଡ଼ିଶାର ସମସ୍ତ ରାଜନୈତିକ ଦଳ ପ୍ରବଳ ବିରୋଧ କରିଛନ୍ତି । କୋଟିଆ ପାଇଁ ଉଠିଛି ଗୋଟିଏ ସ୍ୱର । ଗତକାଲିଠୁ ବିଜେଡି , ବିଜେପି ଓ କଂଗ୍ରେସର ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ଫାଟୁସିନେରୀ ନିକଟସ୍ଥ ଓଡିଶା ଆନ୍ଧ୍ର ସୀମା ରାସ୍ତା ଉପରେ ଧାରଣା ବସିଛନ୍ତି । ସୀମାନ୍ତରେ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ ମଧ୍ୟ କରିଛନ୍ତି । ଓଡିଶାର କୌଣସି ଭୋଟରଙ୍କୁ ଆନ୍ଧ୍ର ନିର୍ବାଚନରେ ଭାଗ ଦେବାକୁ ଦିଆଯିବ ନାହିଁ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଥିଲେ । ହେଲେ ବି ଆଜି ଆନ୍ଧ୍ର କୋଟିଆରେ ନିର୍ବାଚନ କରିବା ନେଇ ସୂଚନା ରହିଛି ।

ଅନ୍ୟପଟେ କୋଟିଆରେ କରୋନା ପାଇଁ ୧୪୪ ଧାରା ଜାରି କରାଯାଇଛି । କୌଣସି ଲୋକ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ଏନେଇ ଘୋଷଣା କଲେ କୋରାପୁଟ ଜିଲ୍ଲାପାଳ । ୩ ଦିନ ପାଇଁ ୧୪୪ ଧାରା ଜାରି କରାଯାଇଛି । ଏହି ସମୟରେ କୌଣସି ଯାନ ବାହାନ ଚାଲିପାରିବ ନାହିଁ । ବର୍ତ୍ତମାନ ଯାଏ ଜିଲ୍ଲାର ସବୁ ଦଳର ନେତା କୋଟିଆରେ ଅଛନ୍ତି । କୋଟିଆରେ ଅଛନ୍ତି ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ । ଡ଼ାକବାଜି ଯନ୍ତ୍ର ଦ୍ଵାରା କୋଟିଆର ସମସ୍ତ ଗାଁରେ ଏନେଇ ଘୋଷଣା କରାଯାଇଛି । ଜରୁରୀ ନଥିଲେ ବାହାରକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

Leave a Reply