ଆଜି ସରୁଛି ପ୍ରଚାର: ବୁଥ୍ ମୁହାଁ ପୋଲିଂ ପାର୍ଟି,

ବାଲେଶ୍ୱର: ସଦର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ଶେଷ ପ୍ରୟାସ କରୁଛନ୍ତି ୩ଦଳର ପ୍ରାର୍ଥୀ । ସେପଟେ ବୁଥ ମୁହାଁ ପୋଲିଂ ପାର୍ଟି। ଅବାଧ ନିରପେକ୍ଷ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ୩ ତାରିଖରେ ୨ଲକ୍ଷ ୩୦ହଜାର ୨୯୭ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଉପନିର୍ବାଚନ ପାଇଁ ୩୫୦ଟି ଲାଇଟ ଭେଇକିଲ ସମେତ ୬୦ଟି ହେଭି ଭେଇକିଲ ନିୟୋଜିତ କରାଯାଇଛି । ୬୭ ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।  ମୋଟ ୩୪୬ ବୁଥ କରାଯାଇଥିବା ବେଳେ ୧ ହଜାର ୮ଶହ ପୋଲିଂ ଏବଂ ପ୍ରିଜାଇଡିଂ ଅଫିସର ନିୟୋଜିତ ହୋଇଛନ୍ତି  ।

୧ହଜାର ଭୋଟରଙ୍କ ପାଇଁ ଗୋଟିଏ ବୁଥ କରାଯାଇଛି। କୋଭିଡ କଟକଣା ମଧ୍ୟରେ ମତଦାନ କରିବେ ଭୋଟର। ତା ପୂର୍ବରୁ ସବୁ ବୁଥ ସାନିଟାଇଜ କରାଯାଇଛି । ଭୋଟ ଦେବାକୁ ଯିବାବେଳେ ମାସ୍କ ବାଧ୍ୟତାମୂଳକ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବା କୁ ଗୁରୁତ୍ୱ ଦିଆଯାଇଛି । ଭୋଟର ମାନେ ଯେମିତି ଅଧିକ ଭିଡ ନ କରିବେ ସେଥିପାଇଁ ଅଧିକ ବୁଥ କରାଯାଇଛି। ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରତି ଦୁଇ ମିଟର ବ୍ୟବଧାନରେ ଗୋଲେଇ କରାଯାଇଛି। ବୁଥକୁ ପ୍ରବେଶ କରିବା ପୂର୍ବରୁ ହାତ ଧୋଇବାର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ଭୋଟ ଦେବାକୁ ଯିବା ସମୟରେ ବିଏଲଓଙ୍କ ପକ୍ଷରୁ ଚିରୁକୁଟି ଦିଆଯାଇଛି। ବିଭିନ୍ନ ମଡେଲ ବୁଥ ଗୁଡିକରେ ହାଇଟେକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଭୋଟରଙ୍କୁ ଥର୍ମାଲ ସ୍କନରରେ ଟେମ୍ପ୍ରେଚର ମପାଯିବ। ସନ୍ଦେହ ହେଲେ ସେମାନଙ୍କୁ ଶେଷରେ ଭୋଟ ଦେବାକୁ ସୁଯୋଗ ଦିଆଯିବ। ସାଧାରଣ ଭୋଟର ଭୋଟ ଦେଇସାରିବା ପରେ ପୋଲିଂ ଅଧିକାରୀ ମାନେ ପିପିଇ କିଟ୍ ପିନ୍ଧି କରୋନା ସନ୍ଦିଗ୍ଧ ଙ୍କ ଭୋଟ ଗ୍ରହଣ କରିବେ। ସେପଟେ ସଦର ନିର୍ବାଚନ ମଣ୍ଡଳୀର ୨୬ଟି ପଞ୍ଚାୟତ ଓ ମ୍ୟୁନିସିପାଲିଟିର 31ଟି ଓ୍ୱାର୍ଡରେ ମୋଟ ୯ ପ୍ଲାଟୁନ ଆରପିଏଫ୍‌,୨୬ ପ୍ଲାଟୁନ୍‌ ଓଏସ୍‌ଏପି ଫୋର୍ସ ସହିତ ୩୧ଟି ମୋବାଇଲ ସ୍କ୍ୱାର୍ଡ, ୧୦ଟି ସେକ୍ଟର ଅଫିସରଙ୍କୁ ନିୟୋଜିତ କରାଯାଇଛି । ସେହିଭଳି ୫ଜଣ ଅତିରିକ୍ତ ଏସ୍‌ପି, 8ଜଣ ଡ଼ିଏସ୍‌ପି, ୨୨ ଜଣ ଇନ୍ସପେକ୍ଟର, ୧୫୨ଜଣ ଅଫିସର, ୮ଜଣ ହାଭିଲଦାର, ୩୫୨ଜଣ ଏପିଆର ଫୋର୍ସଙ୍କୁ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ନିୟୋଜିତ କରାଯାଇଛି । ଅ୍ରବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପୋଲିସ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ।

Leave a Reply