୫-ଟିକୁ ପୁରୁଣା କାର୍ଯ୍ୟକ୍ରମ କହିଲେ ଅପରାଜିତା, ବିଜେଡି କହିଲା ବିଜେପିର କେଉଁ ରାଜ୍ୟରେ ଲାଗୁ ହୋଇଛି ଜଣାନ୍ତୁ ସାଂସଦ

1 min read

ଭୁବନେଶ୍ୱର : ନିକଟରେ ଆରମ୍ଭ ହୋଇଥିବା ୫-ଟି କାର୍ଯ୍ୟକ୍ରମକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ିଥିବା ବେଳେ ଏବେ ଏହାକୁ ନେଇ ରାଜନୀତି ଜୋର ଧରିଛି । ମୁଁହାମୁହିଁ ହୋଇଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ପୂର୍ବତନ ପ୍ରଶାସିକା ତଥା ସାଂସଦ ଅପରାଜିତା କହିଛନ୍ତି ଯେ, ଆଇଏଏସ୍ ଟ୍ରେନିଂ ସମୟରେ ୫-ଟି ସଂପର୍କରେ ପଢ଼ାଯାଉଥିଲା । ଏହା କିଛି ଅଭିନବ ପଦକ୍ଷେପ ନୁହେଁ । ଏହା ପୁରୁଣା କଥା ଏବଂ ୨୦ ବର୍ଷରେ ୫-ଟି ଲାଗୁ କରାଯାଇନଥିଲା କାହିଁକି ? ୫-ଟି ଗୋଟିଏ ବିଭାଗ ଅଧିନରେ ରହୁଥିବାରୁ ମନ୍ତ୍ରୀ ଓ ସଚିବଙ୍କ ପାରିବାପଣିଆ ଏବଂ ତାଙ୍କ ଯୋଗ୍ୟତା ଉପରେ ଏହା ପ୍ରଶ୍ନ କରୁଛି ବୋଲି ଅପରାଜିତା କହିଛନ୍ତି ।

ବିଜେପି ସାଂସଦଙ୍କ ଏଭଳି ମନ୍ତବ୍ୟ ପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ୫-ଟି ଏକ ବିଭାଗ ନୁହେଁ ସମସ୍ତ ବିଭାଗର ସାମୂହିକ ପ୍ରଦର୍ଶନ । ଓଡ଼ିଶା ସରକାର କାର୍ଯ୍ୟକାରୀ କରିଥିବା ଲୋକକୈନ୍ଦ୍ରିକ ଯୋଜନା ୫-ଟି ସଂକ୍ରାନ୍ତରେ ସାଂସଦ ଅପରାଜିତା ଷଡଙ୍ଗୀ ସଂପୂର୍ଣ୍ଣ ଅଜ୍ଞ । କାରଣ ଏ ସଂପର୍କରେ ତାଙ୍କର ସାମାନ୍ୟ ଧାରଣା ଥିଲେ ସେ ଏହାକୁ ବିରୋଧ କରିନଥାନ୍ତେ । ସରକାରରେ ସ୍ୱଚ୍ଛତା ଆଣିବା ସହ ଲୋକଙ୍କ ନିକଟରେ ସରକାରୀ ସେବାକୁ ପହଞ୍ଚାଇବାକୁ ୫-ଟି କାର୍ଯ୍ୟକ୍ରମ ଲାଗୁ କରାଯାଇଛି । ଯଦି ଏହା ପୁରୁଣା କାର୍ଯ୍ୟକ୍ରମ ତେବେ କେଉଁ ବିଜେପି ଶାସିତ ରାଜ୍ୟରେ ଏହାକୁ ଲାଗୁ କରାଯାଇଛି ସେ ନେଇ ସାଂସଦ ଉତ୍ତର ରଖନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ।

ଅପରାଜିତା ପୂର୍ବରୁ ପ୍ରଶାସିକା ଥିବା ବେଳେ କେଉଁଠାରେ ଏହାକୁ ଲାଗୁ କରିଥିଲେ ସେ ନେଇ ମଧ୍ୟ ସ୍ପଷ୍ଟୀକରଣ ଦେବାକୁ ଦାବି ହୋଇଛି । ୫-ଟି ଦ୍ୱାରା ପ୍ରଶାସନ ଅଧିକ ଦକ୍ଷ ହେବା ସହ ମୋ-ସରକାର କାର୍ଯ୍ୟକାରୀ ଦ୍ୱାରା ଲୋକେ ବେଶ୍ ଖୁସିରେ ଥିବା ଡ. ପାତ୍ର ଉଲ୍ଲେଖ କରିଛନ୍ତି । ରାଜ୍ୟବାସୀଙ୍କ ସ୍ୱାର୍ଥ ସଂପର୍କରେ ଚିନ୍ତା କରିବା ପରିବର୍ତ୍ତେ ୫-ଟିକୁ ନେଇ ବିଜେପି ରାଜନୀତି କରୁଥିବା ବିଜେଡି କହିଛି । ୫-ଟି କାର୍ଯ୍ୟକ୍ରମରେ ସରକାର ରାଜ୍ୟର ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସମସ୍ତ ଥାନାରେ ଲୋକଙ୍କୁ ଠିକରେ ସେବା ଯୋଗାଯାଉଛି କି ନାହିଁ ତାର ଅନୁଧ୍ୟାନ କରାଯାଇଛି । ୨୦୨୦ ମାର୍ଚ୍ଚ ସୁଦ୍ଧା ଏହାକୁ ସବୁ ବିଭାଗରେ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.