spot_img

Latest Posts

ହିଂସା ରାଜନୀତି ବିଜେପିର ଏକ ମଡେଲ: ବିଜେଡି

ଭୁବନେଶ୍ୱର: ଅଭ୍ୟାସଗତ ଅପରାଧୀ ଜେଲରୁ ବାହରିବା ପରେ ପାଛୋଟି ନେଉଛି ବିଜେପି । ଆୟୋଜିତ କରୁଛି ରାଲି, ରୋଡ୍ ସୋ । ବିଜେପିର ଏଭଳି ହିଂସାର ମଡେଲକୁ ଜନତା ନିନ୍ଦା କରୁଥିବା ବିଜେଡି କହିଛି । ଜଣେ ଅଭ୍ୟାସଗତ ଅପରାଧୀ ଓ ହତ୍ୟା ଅଭିଯୁକ୍ତ ଈରାଶିଷ ଆଚାର୍ଯ୍ୟଙ୍କ ନାଁରେ ଏକାଧିକ ସଂଗୀନ ଅପରାଧିକ ମାମଲା ରହିଛି । ବିଜେପି ନେତାଙ୍କ ଛତ୍ରଛାୟା ତଳେ ରହି ବିଭିନ୍ନ ଅପରାଧ ଘଟାଇ ଆତଙ୍କ ସୃଷ୍ଟି କରି ଚାଲିଛନ୍ତି ଈରାଶିଷ । ଏଭଳି ଜଣେ ବ୍ୟକ୍ତି ଈରାଶିଷଙ୍କୁ ଓଡ଼ିଶା ବିଜେପି ରାଜ୍ୟ ଯୁବମୋର୍ଚ୍ଚାର ସଭାପତି କରିଛି । ଜୁନ୍ ୨୦୧୮ରେ ଭଟଲିରେ ଏକ ହତ୍ୟା ମାମଲାରେ  ଅଭିଯୁକ୍ତ ଈରାଶିଷ ଜେଲ ଯାଇ ଏବେ ବେଲରେ ଅଛନ୍ତି । ଗତ ଫେବୃୟାରୀ ୨୮ ତାରିଖରେ ଈରାଶିଷ ଓ ତାଙ୍କର ଗୁଣ୍ଡା ବାହିନୀ ବିକ୍ଷୋଭ ନାଁରେ ରାଜଧାନୀ ଛାତି ଉପରେ କିପରି ହିଂସା ଓ ଆତଙ୍କ ସୃଷ୍ଟି କରିଥିଲେ, ତାହା ଓଡ଼ିଶାବାସୀ ଦେଖିଛନ୍ତି । ପେଟ୍ରୋଲ ବମ୍ ଫିଙ୍ଗି ପୋଲିସ ଗାଡ଼ି ପୋଡ଼ିବାକୁ ବି ଉଦ୍ୟମ କରିଛନ୍ତି । ସେଦିନ ସେମାନଙ୍କ ବର୍ବର ଆକ୍ରମଣରେ ୨୧ ପୁଲିସ ଆହତ ହୋଇଥିଲେ।  ଏହି ମାମଲାରେ ଗିରଫ ହୋଇ ଈରାଶିଷ ପ୍ରାୟ ଦେଢ଼ ମାସ କାଳ ଜେଲରେ ରହିବା ପରେ ନିକଟରେ ଜାମିନରେ ବାହାରିଛନ୍ତି।  ହେଲେ ଏଭଳି ଜଣେ ଅଭ୍ୟାସଗତ ଅପରାଧୀକୁ ଦଳରୁ ବହିଷ୍କାର କରିବା ପରିବର୍ତ୍ତେ ରାଜ୍ୟ ବିଜେପିର କିଛି ନେତା ଈରାଶିଷଙ୍କୁ ବିଭିନ୍ନ ଅଞ୍ଚଳରେ ଶୋଭାଯାତ୍ରାରେ ବୁଲାଇ ସମ୍ବର୍ଦ୍ଧନା ଦେଉଛନ୍ତି ।

ୟୁପି, ବିହାର ଭଳି ଅପରାଧପ୍ରବଣ ରାଜ୍ୟରେ ରାଜନୀତି ସହ ସଂପୃକ୍ତ ଥିବା କିଛି ବାହୁବଳୀ ଜଘନ୍ୟ ଅପରାଧୀ ଓ ମାଫିଆମାନେ ଜେଲରୁ ମୁକୁଳିଲେ ସେମାନଙ୍କ ଦଳ ପକ୍ଷରୁ ଏମିତି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଏ । ଓଡ଼ିଶାରେ ମଧ୍ୟ ଅଭ୍ୟାସଗତ ଅପରାଧୀକୁ ସ୍ବାଗତ ଜଣାଇ ଓଡ଼ିଶାକୁ କ’ଣ ବାର୍ତ୍ତା ଦେବାକୁ ଚାହୁଁଛି ରାଜ୍ୟ ବିଜେପି ବୋଲି ପ୍ରଶ୍ନ କରିଛି ବିଜେଡି । ପୂର୍ବରୁ ଅପରାଧ ପୃଷ୍ଠଭୂମି ଥିବା ଜୟନାରାୟଣ ମିଶ୍ରଙ୍କ ଭଳି ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ବାରମ୍ବାର ଆଇନକୁ ହାତକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି । ଏଭଳି ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ଓଲଟା ଓଡ଼ିଶା ବିଜେପି ଓଡ଼ିଶାବାସୀଙ୍କୁ ଅରାଜକ କହି ଅପମାନିତ କରୁଛି ବୋଲି ବିଜେଡି କହିଛି । ଓଡ଼ିଶାବାସୀ ସବୁ କ୍ଷେତ୍ରରେ ବେଶ ସଚେତନ ଠିକ ସମୟରେ ଉଚିତ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ ଓ ଇପ୍ସିତା ସାହୁ ।

Latest Posts

Don't Miss