ଦେଶରେ କେବଳ ଶାସନ ପାଇଁ ହେଉଛି ରାଜନୀତି : ନୀତିନ ଗଡକରୀ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ । ରାଜନୀତି ଛାଡି ଦେବାକୁ ଇଚ୍ଛା ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନୀତିନ ଗଡ଼କରୀ । କିନ୍ତୁ ବେଳେ ବେଳେ ରାଜନୀତିରେ ରହିବାକୁ ମଧ୍ୟ ଇଚ୍ଛା ହେଉଥିବା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନୀତିର ଗୋହି ଖୋଳିଛନ୍ତି ନୀତିନ ଗଡକରୀ  । ସେ କହିଛନ୍ତି ଆଉ ବିକାଶ ପାଇଁ ରାଜନୀତି ହେଉନାହିଁ । କେବଳ ସତ୍ତା ବା ଶାସନ କରିବା ନିଶା ପାଇଁ ଦେଶରେ ରାଜନୀତି ହେଉଛି । ରାଜନୀତି ଛଡା ଜୀବନରେ ବହୁତ କିଛି କରିବା ସମ୍ଭବ ।

କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ କହିଛନ୍ତି  ରାଜନୀତିର ଅର୍ଥ ସମାଜ ପାଇଁ କିଛି କରିବା । ସମାଜର ବିକାଶ ପାଇଁ ରାଜନୀତି କରିବା ଉଚିତ୍ । କିନ୍ତୁ ବର୍ତ୍ତମାନର ରାଜନୀତି ଶହେ ପ୍ରତିଶତ ସତ୍ତାନୀତିରେ ପରିଣତ ହୋଇଗଲାଣି । କେବଳ ଶାସନ ଗାଦିରେ ବସିବା ପାଇଁ ନେତା ରାଜନୀତି କରୁଛନ୍ତି । ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଯୋଗ ଦେବାକୁ ଯାଇଥିବା ବେଳେ ଏଭଳି କଥା କହିଛନ୍ତି ।

ଅନେକ ସମୟରେ ଭିନ୍ନ ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଥାନ୍ତି ନୀତିନ । ବିଜେପି ନେତା କଂଗ୍ରେସ ମୁକ୍ତ ଭାରତ ପାଇଁ ଆହ୍ବାନ ଦେଉଥିବା ବେଳେ ନୀତିନ ଗଡ଼କରି କିନ୍ତୁ ଭିନ୍ନ କଥା କୁହନ୍ତି । କଂଗ୍ରେସ ନିଜକୁ ଶକ୍ତିଶାଳୀ କରିବାର ଆବଶ୍ୟକ ରହିଛି । ସୁସ୍ଥ ଗଣତନ୍ତ୍ରରେ ବିରୋଧୀଙ୍କ ଭୂମିକା ନିହାତି ଆବଶ୍ୟକ ବୋଲି କହିଥିଲେ ନୀତିନ ଗଡ଼କରି । ତେବେ ସରକାରରେ ଥାଇ ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି କିଛି ବୟାନ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଥାଏ  ।