କେନ୍ଦ୍ର ସରକାରଙ୍କ ବିବାଦୀୟ ବିଲକୁ ନେଇ ଝଡ଼

ନନ୍ଦିଘୋଷ ବ୍ୟୁରୋ: ଲଗାତର ୩୦ ଦିନ ଜେଲରେ ରହିଲେ ଯିବ ମନ୍ତ୍ରୀ ପଦ । ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ପ୍ରଧାନମନ୍ତ୍ରୀ କି ଯେକୌଣସି ସାଧାରଣ ବିଭାଗୀୟ ମନ୍ତ୍ରୀ, କେହି ବର୍ତ୍ତିବେନି । ମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ, ନ ଛାଡ଼ିଲେ ଆପେ ଆପେ ମନ୍ତ୍ରୀ ପଦ ଯିବ । ରାଜ୍ୟ, କେନ୍ଦ୍ର କି କେନ୍ଦ୍ର ଶାସିତ ଅଞ୍ଚଳର ମନ୍ତ୍ରୀ ହୋଇଥିଲେ ବି ମନ୍ତ୍ରୀ ପଦ ହରାଇବେ । କେନ୍ଦ୍ର ସରକାରଙ୍କ ଏହି ବିବାଦୀୟ ବିଲକୁ ନେଇ ବିରୋଧୀ ଖଡ଼ଗହସ୍ତ, ସଂସଦ ହୁଲସ୍ତୁଲ ।
ଗୁରୁତର ଅପରାଧରେ ସଂପୃକ୍ତି ଅଭିଯୋଗରେ ଗିରଫ ବା ହେପାଜତରେ ଲଗାତର ୩୦ ଦିନ ରହିଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବା କୌଣସି ମନ୍ତ୍ରୀଙ୍କ ପଦ ରହିବ ନାହିଁ । ପଦବୀ ଛାଡ଼ିବାକୁ ପଡ଼ିବ, ନ ହେଲେ ସେମାନଙ୍କୁ ହଟାଯିବ । ସଂପୃକ୍ତ ଅପରାଧ ପାଇଁ ୫ ବର୍ଷ ଜେଲ୍ ଦଣ୍ଡାଦେଶ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର, ରାଜ୍ୟ କି କେନ୍ଦ୍ର ଶାସିତ ଅଞ୍ଚଳର ମନ୍ତ୍ରୀ କେହି ବର୍ତ୍ତିବେନି । ଏ ସଂପର୍କିତ ବିଲ୍ କେନ୍ଦ୍ର ସରକାର ଲୋକସଭାରେ ଆଗତ କରିବା ପରେ ସୃଷ୍ଟି ହେଲାଣି ଝଡ଼ । ବିରୋଧୀ ଭର୍ତ୍ସନା କରି କହିଛନ୍ତି, ଏହା ହେଉଛି ବିଜେପି ସରକାରର ଏକଛତ୍ରବାଦ । ବିଲକୁ ଦୁର୍ଭାଗ୍ୟଜନକ କହିଛି ବିଜେଡି । ଦେଶର ଆଇନ କହୁଛି, ଯେଉଁମାନଙ୍କୁ ନ୍ୟାୟାଳୟ ଦୋଷୀ ସାବ୍ୟସ୍ତ କରିବେ ଓ ୨ ବର୍ଷ ବା ତା’ଠାରୁ ଅଧିକ ଜେଲଦଣ୍ଡାଦେଶ ମିଳିବ, ସେମାନଙ୍କର ସଭ୍ୟ ପଦ ରଦ୍ଦ ହେବ । ଏହାସହ ଦଳ ପ୍ରଶ୍ନ କରିଛି, ୩୦ ଦିନ ଗିରଫ ବା ହେପାଜତରେ ରହିବା ମାତ୍ରେ କେମିତି ପଦ ଯିବ ? ଯେଉଁଠି ବିଜେପି ସରକାର ନାହିଁ, ସେଠି ଇଡି, ସିବିଆଇ ପରି ତଦନ୍ତକାରୀ ସଂସ୍ଥାକୁ ଲଗାଇ ଗିରଫଦାରୀ କରାଯାଉଛି । ଜାଣିଶୁଣି ବିରୋଧୀଙ୍କୁ ଫସାଇ ପଦବୀରୁ ହଟାଇବାକୁ ଏହି ବିଲ ଅଣାଯାଇଛି, ଏହା ଅଗଣତାନ୍ତ୍ରିକ । ବିପକ୍ଷଙ୍କ ସ୍ଵର ଚାପି ସେମାନଙ୍କ ମୁହଁ ବନ୍ଦ କରିବାକୁ ଏହି ବିଲ ଜରିଆରେ ଷଡ଼ଯନ୍ତ୍ର କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ । ନିଜ ହାତରେ କ୍ଷମତା ରଖିବାକୁ ଏହା ବିଜେପି ସରକାରଙ୍କ ଚକ୍ରାନ୍ତ। ଏହା ଜରୁରୀକାଳୀନ ପରିସ୍ଥିତିଠାରୁ ବି ଭୟଙ୍କର ପରିସ୍ଥିତି ଆଣିବ ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଏହି ବିବାଦୀୟ ବିଲ୍ ସପକ୍ଷରେ ବିଜେପିର ଯୁକ୍ତି ହେଲା, ରାଜନୀତିରେ ଶୁଦ୍ଧତା ଆଣି ସ୍ଵଚ୍ଛ ସଚ୍ଚୋଟ ଜନପ୍ରତିନିଧି ରଖିବା ଦିଗରେ ଏହି ବିଲ କାମ କରିବ । ବିଲ୍ ଆଇନରେ ପରିଣତ ହେଲେ ଦୁର୍ନୀତିଗ୍ରସ୍ତ ଏହାକୁ ଭୟ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।
୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓଡ଼ିଶାର ୨୭ ନେତାଙ୍କ ବିରୋଧରେ ଅଛି ଅପରାଧ ମାମଲା । ନିର୍ବାଚନ ବେଳେ ଦାଖଲ କରାଯାଇଥିବା ସତ୍ୟପାଠ ଅନୁସାରେ ବିଜେପିର ୧୪୭ ବିଧାୟକ ପ୍ରାର୍ଥୀଙ୍କ ଭିତରୁ ୧୦୦ ଜଣ, କଂଗ୍ରେସର ୧୪୫ ପ୍ରାର୍ଥୀଙ୍କ ମଧ୍ୟରୁ ୬୦ ଜଣ, ବିଜେଡିର ୧୪୭ ପ୍ରାର୍ଥୀଙ୍କ ମଧ୍ୟରୁ ୪୬ ଜଣ ଓ ଆମ ଆଦମୀ ପାର୍ଟିର ୪୧ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଅପରାଧ ମାମଲା ଅଛି ।