ଦେଶରେ ବଢିଲା ଉପରାଷ୍ଟ୍ରପତି ନିର୍ବାଚନ ପାରା, ଶାସକ ଓ ବିରୋଧୀ ଦଳର ପ୍ରାର୍ଥୀ ଚୂଡାନ୍ତ

ନନ୍ଦିଘୋଷ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଏନଡିଏ ଓ ଇଣ୍ଡିମେଣ୍ଟ ପ୍ରାର୍ଥୀ ଘୋଷଣା ପରେ ସଂଖ୍ୟା ଗଣିତକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ୩୯୨ ସାଂସଦଙ୍କ ଭୋଟ ଆବଶ୍ୟକ । ନିର୍ବାଚନ ସମୀକରଣ ଓ ସଂଖ୍ୟା ଦୃଷ୍ଟିରୁ ଏନଡିଏ ପଲ୍ଲା ଭାରି ରହିଛି । ଉଭୟ ଏନଡିଏ ଓ ଇଣ୍ଡିମେଣ୍ଟ ପ୍ରାର୍ଥୀ ଘୋଷଣା ପରେ ନିଜ ପ୍ରାର୍ଥୀ ପାଇଁ ସମର୍ଥନ ଯୋଗାଡ କରିବାରେ ଲାଗିଛନ୍ତି । ବିଜେଡି କହିଛି ଦଳର ସଭାପତି ନବୀନ ପଟ୍ଟନାୟକ ଉପରାଷ୍ଟ୍ରପତି ନିର୍ବାଚନ ନେଇ ନିଷ୍ପତ୍ତି ନେବେ ।

ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଓ ବିରୋଧୀ ଇଣ୍ଡିମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଜଷ୍ଟିସ ସୁଦର୍ଶନ ରେଡ୍ଡୀ । ଅଗଷ୍ଟ ୨୧ରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ସଂଖ୍ୟା ଗଣିତର ଅଙ୍କକଷା । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ୩୯୨ ସାଂସଦଙ୍କ ଭୋଟ ଆବଶ୍ୟକ । ମୋଟ ୭୮୨ ଜଣ ସାଂସଦ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ କରିବେ । ଯେଉଁଥିରେ ଲୋକସଭାର ୫୪୨ ଓ ରାଜ୍ୟସଭାର ୨୪୦ ସାଂସଦ ଭୋଟ ଦେବେ । ସଂଖ୍ୟା ଗଣିତର ହିସାବ ଅନୁସାରେ ଲୋକସଭାରେ ୫୪୨ ଜଣ ସାଂସଦଙ୍କ ମଧ୍ୟରେ ଏନଡିଏ ପାଖରେ ୨୯୩ ଜଣ ଓ ଇଣ୍ଡିମେଣ୍ଟ ପାଖରେ ୨୪୯ ଜଣ ସାଂସଦ ରହିଛନ୍ତି । ସେହିପରି ରାଜ୍ୟସଭାରେ ୨୪୦ ଜଣ ସାଂସଦଙ୍କ ମଧ୍ୟରୁ ୧୩୪ ଜଣ ସରକାରଙ୍କ ସହ ଥିବା ବେଳେ ବିରୋଧୀଙ୍କ ସହ ୧୦୬ ଜଣ ଅଛନ୍ତି । ଏନଡିଏ ପାଖରେ ମୋଟ ୪୨୩ ଜଣ ସାଂସଦ ଥିବା ବେଳେ ଇଣ୍ଡିମେଣ୍ଟ ପାଖରେ ୩୧୩ ଜଣ ସାଂସଦ ଅଛନ୍ତି । ବିଜେଡି କିନ୍ତୁ ଏଯାଏଁ କାହାକୁ ସମର୍ଥନ କରିବ ସେନେଇ ସସପେନ୍ସ ଜାରି ରହିଛି । ବିଜେଡି ବିଧାୟକ ଧୃବ ସାହୁ କହିଛନ୍ତି ବିଜେଡି ସଂସଦୀୟ ଦଳ ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଏ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବେ ।

ସଂଖ୍ୟା ଗଣିତରେ ଏନଡିଏ ଆଗରେ ରହିଛି । ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଯିଏ ବି ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ ୨୦୩୦ ଯାଏଁ କାର୍ଯ୍ୟକାଳ ରହିବ । ବିଜେପି କହିଛି ବିଜେଡି କ’ଣ ନିଷ୍ପତ୍ତି ନେବ ତାହା ତାଙ୍କ ଦଳର ନିଷ୍ପତ୍ତି । ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ରହିଛି । ତେଣୁ ବିଜେଡି ନିଷ୍ପତ୍ତି ନେଇ କିଛି କହିବା ଠିକ ନୁହେଁ ବୋଲି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି । କଂଗ୍ରେସ କହିଛି ସଂଖ୍ୟା ଯାହା ଥାଉ ଇଣ୍ଡିମେଣ୍ଟ କଡା ଟକ୍କର ଦେବ । ଅଣ ଏନଡିଏ ଦଳ ଗୁଡ଼ିକ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଇଣ୍ଡିମେଣ୍ଟକୁ ସମର୍ଥନ କରିବେ ।

ଉପରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି । ଉଭୟ ଏନଡିଏ ଓ ଇଣ୍ଡିମେଣ୍ଟ ନାମାଙ୍କନ ଦାଖଲ ପୂର୍ବରୁ ସମର୍ଥନ ଯୋଗାଡ କରିବାରେ ଲାଗିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏନଡିଏକୁ ସହଯୋଗର ପ୍ରସ୍ତାବ ଦେଇଥିବା ଚର୍ଚ୍ଚା ହେଉଛି ।