ସବୁ ନେତା ଅପରାଧ ମୁକ୍ତ ହୋଇପାରୁଛନ୍ତି କି ?

ନନ୍ଦିଘୋଷ ବ୍ୟୁରୋ: ଅପରାଧ ମୁକ୍ତ ହେଉନାହାଁନ୍ତି ରାଜନେତା । କେତେବେଳେ ପ୍ରତିଦ୍ବନ୍ଦ୍ବୀ ଦଳର ଆକ୍ରୋଶ ତ କେତେବେଳେ ନିଜ ଅପରାଧିକ ଆଚରଣ । ଅପରାଧ ରେକର୍ଡରୁ ନେତାଙ୍କୁ ମୁକ୍ତି ମିଳୁନି । ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିବା ୫୧୪ ଜଣ ସାଂସଦଙ୍କ ଭିତରୁ ୪୪ ପ୍ରତିଶତଙ୍କ ନାମରେ ଅପରାଧୀକ ରେକର୍ଡ ରହିଛି । ୨୯ ପ୍ରତିଶତ ସାଂସଦ ହତ୍ୟା, ହତ୍ୟା ଉଦ୍ୟମ, ମହିଳା ବିରୋଧୀ ହିଂସାରେ ସାମିଲ । ଏଭଳି ରିପୋର୍ଟ ଦେଇଛି ଜାତୀୟ ଇଲେକ୍ସନ୍ ଓ୍ବାଚ୍ ଓ ଏଡିଆର୍ । ଅଭିଯୋଗ ହୋଇଛି ଏଭଳି ଭ୍ରଷ୍ଟ ନେତା ଶାସକ ଦଳରେ ସାମିଲ ହୋଇ ନିଜ କଳାକାରନାମାକୁ କ୍ଲିନ କରିବାରେ ସମର୍ଥ ହେଉଛନ୍ତି ।

ଗଣତନ୍ତ୍ରରେ ସ୍ବଚ୍ଛ ଇମେଜ୍ ଥିବା ନେତା ଭୋଟରଙ୍କ ପ୍ରଥମ ପସନ୍ଦ । ହେଲେ ସବୁ ନେତା ଅପରାଧ ମୁକ୍ତ ହୋଇପାରୁଛନ୍ତି କି ? ଏମିତି ହେଉନି । ନ୍ୟାସନାଲ ଇଲେକ୍ସନ୍ ଓ୍ବାଚ୍ ଓ ଏଡିଆର ରିପୋର୍ଟ । ୨୦୧୯ ସାଧାରଣ ନିର୍ବାଚନରେ ୫୧୪ ଜଣ ନିର୍ବାଚିତ ସାଂସଦଙ୍କ ଭିତରୁ ୨୨୫ ଜଣ ସେମାନଙ୍କ ନାମରେ ଅପରାଧିକ ରେକର୍ଡ ଥିବା ଘୋଷଣା କରିଛନ୍ତି । ୧୪୯ ଜଣଙ୍କ ବିରୋଧରେ ରହିଛି ଜଘନ୍ୟ ଅପରାଧ । ହତ୍ୟା, ହତ୍ୟା ଉଦ୍ୟମ, ସାମ୍ପ୍ରଦାୟିକ ହିଂସା, ଅପହରଣ ଓ ମହିଳା ବିରୋଧୀ ହିଂସାରେ ସଂଶ୍ଲିଷ୍ଟ । ୯ ଜଣଙ୍କ ନାମରେ କେବଳ ହତ୍ୟା, ମହିଳାଙ୍କ ବିରୋଧରେ ଅପରାଧ କରିଥିବା ୧୬ ଜଣ ସାଂସଦଙ୍କ ଭିତରୁ ୩ ଜଣଙ୍କ ବିରୋଧରେ  ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ରାଜନୈତିକ ଶତ୍ରୁତା ଯୋଗୁ କେତେକଙ୍କ ବିରୋଧରେ ଅପରାଧୀକ ରେକର୍ଡ ଗଡ଼ୁଛି । କିନ୍ତୁ ମହିଳା ଦୁଷ୍କର୍ମ, ହତ୍ୟା ଭଳି ମାମଲାରେ କେତେକ ନେତା ନିଜ ଆଚରଣ ଯୋଗୁ ଏଭଳି କଳାକାରନାମାରେ ଲିପ୍ତ ରହିଛନ୍ତି ।

ଅପରାଧିକ ରେକର୍ଡ ଥିବା ନେତାଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି । ଆଉ ଅପରାଧିକ ରେକର୍ଡ ଥିବା ନେତାଙ୍କ ପ୍ରଥମ ପସନ୍ଦ ଶାସକ ଦଳ ବୋଲି ଅଭିଯୋଗ ହୋଇଛି । ଶାସକ ଦଳରେ ଯୋଗ ଦେଇ ଟିକେଟ୍ ହାତେଇଲେ ସେମାନଙ୍କ କଳା କାରନାମାକୁ ସହଜରେ ଘଣ୍ଟ ଘୋଡ଼ା ଯାଇପାରୁଛି । ନିର୍ବାଚନକୁ ଅବାଧ ଓ ସ୍ବଚ୍ଛ କରିବାକୁ ଭାରତୀୟ ନିର୍ବାଚନ କମିଶନ ବି ବଡ଼ ପଦକ୍ଷେପ ନେଉଛନ୍ତି । ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ପ୍ରାର୍ଥୀ କରାଗଲେ ସଂପୃକ୍ତ ପ୍ରାର୍ଥୀଙ୍କ ପାଇଁ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିବ । ଏତେସବୁ ପଦକ୍ଷେପ ପରେ ଅପରାଧିକ ରେକର୍ଡ ଥିବା ବ୍ୟକ୍ତି ନିର୍ବାଚନରେ ଭାଗ ନେଉଛନ୍ତି । ଶାସକ ଦଳରେ ସେମାନେ ଯୋଗଦେଇ ଦୁରାଚାରୀରୁ ସଦାଚାରୀ ହେଉଥିବା ଅଭିଯୋଗ ହୋଇଛି ।