ୟୁପିରେ ଏନଡିଏର ନୈରାଶ୍ଯଜନକ ପ୍ରଦର୍ଶନ ନେଇ ତେଜୁଛି ରାଜନୀତି

1 min read

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶରେ ଏନଡିଏ ମେଣ୍ଟର ନୈରାଶଜନକ ପ୍ରଦର୍ଶନକୁ ନେଇ ତେଜୁଛି ରାଜନୀତି । ରାଜ୍ଯରେ ମନ୍ଦିର ରାଜନୀତିକୁ ଲୋକେ ଉଚିତ ଜବାବ ଦେଇଛନ୍ତି ବୋଲି କହିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ବାର । ଖୋଦ ଅଯୋଧ୍ଯାରେ ବିଜେପି ପ୍ରାର୍ଥୀଙ୍କ ପରାଜୟକୁ ନେଇ ଏହା କହିଛନ୍ତି ପାଓ୍ବାର । ଅଯୋଧ୍ଯା ଅନ୍ତର୍ଭୁକ୍ତ ଥିବା ଫୈଜାବାଦ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଲାଲୁ ସିଂଙ୍କୁ ପ୍ରାୟ ୫୫ ହଜାର ଭୋଟରେ ପରାସ୍ତ କରିଥିଲେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅବଧେଶ ପ୍ରସାଦ। ମହାରାଷ୍ଟ୍ର ବାରମତିରେ ଆୟୋଜିତ ସଭାରେ ଶରଦ ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି- ବିଜେପି ଯେଉଁ ନାରା ଦେଉଥିଲା ସେଥିରେ ଦଳ ବିଫଳ ହୋଇଛି ଏବଂ ସାରା ଦେଶରେ ଦଳ ନୈରାଶ୍ଯଜନକ ପ୍ରଦର୍ଶନ କରିଛି । ଉତ୍ତରପ୍ରଦେଶବାସୀ ବିଜେପି ପ୍ରତି ବିମୁଖ ହୋଇଛନ୍ତି । ମନ୍ଦିର ନାମରେ ଭୋଟ ହାସଲ କରିବାର ପ୍ରକ୍ରିୟାକୁ ରାଜ୍ଯବାସୀ ପ୍ରତ୍ୟାଖ୍ଯାନ କରିଛନ୍ତି ବୋଲି ସେ କହିଛନ୍ତି ।

ସେପଟେ ବାରାଣସୀ ଆସନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସେ କହିଛନ୍ତି ଯଦି ବାରାଣସୀ ଆସନରେ ପ୍ରିୟଙ୍କା ଗାନ୍ଧୀ ଲଢିଥାନ୍ତେ ତେବେ ତାଙ୍କର ବିଜୟ ନିଶ୍ଚୟ ହୋଇଥାନ୍ତା । ରାଏବରେଲିରେ ଆୟୋଜିତ ସଭାରେ ସେ କହିଛନ୍ତି- ରାଏବରେଲି ଓ ଆମେଥିରେ ଇଣ୍ଡିଆ ମେଣ୍ଟ ସମ୍ପୂର୍ଣ୍ଣ ଏକତା ରକ୍ଷା କରି ନିର୍ବାଚନ ଲଢିଥିବାରୁ ଦୁଇଟି ଆସନରେ ମେଣ୍ଟର ବିଜୟ ସମ୍ଭବ ହୋଇଥିଲା ।