ଶେଷ ହେଲା ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର, ୩୧କୁ ଅପେକ୍ଷା..

ନନ୍ଦିଘୋଷ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର । ମଇଦାନରେ ଶେଷ ଦିନରେ କସରତ କଲେ ତିନି ପ୍ରମୁଖ ଦଳ । ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ମୁଦ୍ଦାନେଇ ପ୍ରଚାର କରିଥିବାବେଳେ ବିଜେଡିର ଅଳକା ମହାନ୍ତି ଲଖନପୁର ବେଲପାହାଡ ଓ ବ୍ରଜରାଜନଗରରେ ଶେଷ ପ୍ରଚାର କରିଛନ୍ତି । ମହିଳା ବ୍ରିଗେଡକୁ ଧରି ବିକାଶ ମୁଦ୍ଦା କରି ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ଅଳକା ।

ସରିଲା ପ୍ରଚାର । ଆଉ ଦିନକ ପରେ ବ୍ରଜରାଜନଗର ପାଇଁ ମତଦାନ । ଶେଷ ଦିନରେ ଜୋରସୋରରେ ହେଲା ପ୍ରଚାର । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଘର ଘର ବୁଲି ଭୋଟ ମାଗିଛନ୍ତି । ଜନମତକୁ ନିଜ ଆଡକୁ ନେବା ପାଇଁ ଷ୍ଟାର କ୍ୟାମ୍ପେନର ଜୋରଦାର ପ୍ରୟାସ କରିଛନ୍ତି । ଏସବୁ ଭିତରେ ପ୍ରଚାରରେ ଆଗୁଆ ଅଛନ୍ତି ବିଜେଡିର ଅଳକା ମହାନ୍ତି । ରାଜ୍ୟ ସରକାରଙ୍କ ବିକାଶ ମୁଳକ ଯୋଜନାକୁ ନେଇ ଲୋକଙ୍କୁ ସମର୍ଥନ ଜିତିବାକୁ ଚେଷ୍ଟା କରିଛନ୍ତି । ଗ୍ରାଉଣ୍ଡ ଜିରୋରେ ଭୋଟରଙ୍କ ନିକଟରେ ପହଞ୍ଚିଛନ୍ତି ଅଳକା ।

ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଶେଷ ଦିନରେ ଗାଁ ଗାଁ ବୁଲି ବିଭିନ୍ନ ମୁଦ୍ଦା ନେଇ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେପି ପ୍ରାର୍ଥୀନି ରାଧାରାଣୀ ପଣ୍ଡା ମଧ୍ୟ ନିଜ ସମର୍ଥକଙ୍କୁ ଧରି ବ୍ରଜରାଜନଗର ଓ ବେଲପାହାଡରେ ପ୍ରଚାର କରିଛନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ବ୍ରଜରାଜନଗର ଅଂଚଳରେ ଶେଷ ପ୍ରଚାର କରିଛନ୍ତି ।  ଆସନ୍ତା ୩୧ରେ ବ୍ରଜରାଜନଗରରେ ମତଦାନ ହେବାକୁ ଥିବା ବେଳେ ଜୁନ୍‌ ୩ରେ ପ୍ରକାଶ ପାଇବ ଫଳ ।