ରାଜନୈତିକ ଦଳଙ୍କ ଲାଗି ଲାଗୁ ହେବ କି ପୋସ୍ ଆଇନ ?
1 min readନୂଆଦିଲ୍ଲୀ: କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ନିରାକରଣ ଓ ଅଭିଯୋଗ ସମାଧାନ ଆଇନ ବା ପୋସ୍ ଆଇନ ପରିସରକୁ ଆସିବେ କି ରାଜନୈତିକ ଦଳ? ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଆଗତ ଏକ ଜନସ୍ବାର୍ଥ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଯୌନ ନିର୍ଯାତନା କ୍ଷେତ୍ରରେ ୧୯୯୭ରେ ସୁପ୍ରିମକୋର୍ଟ ଯେଉଁ ବିଶାକା ଗାଇଡଲାଇନ ଜାରି କରିଥିଲେ ତାହାରି ପରିସର ଭିତରେ ରାଜନୈତିକ ଦଳ ଆସିବା ଉଚିତ ବୋଲି ପିଟିସନରେ ଦର୍ଶାଯାଇଛି। ଏଥିରେ କେନ୍ଦ୍ର ଓ କଂଗ୍ରେସ, ବିଜେପି ସମେତ ସମସ୍ତ ଦଳଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଏହି ମାମଲାକୁ ଦାୟର କରିଛନ୍ତି ସୁପ୍ରିମକୋର୍ଟ ଆଇନଜୀବୀ ଯୋଗମାୟା ଏମଜି। ପିଟିସନରେ ଦର୍ଶାଯାଇଛି ଦେଶର ମହିଳା ରାଜନୀତିଜ୍ଞମାନଙ୍କୁ ଶାରୀରିକ ଓ ମୌଖିକ ନିର୍ଯାତନା ଦିଆଯାଉଛି। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ମନମୋହନ ମାମଲାର ଶୁଣାଣି କରିବେ। ସମସ୍ତ ରାଜନୈତିକ ଦଳ ପୋସ୍ ଆଇନ- ୨୦୧୩ ମାନିବାକୁ ବାଧ୍ୟ ସଂକ୍ରାନ୍ତ ଘୋଷଣା କରାଯାଉ ବୋଲି ପିଟିସନରେ ଆବେଦନ କରାଯାଇଛି। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲେ ୧୦ ବା ତତୋଧିକ କର୍ମଚାରୀ ଥିବା ସଂଗଠନରେ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ଗଠନ ହେବ।
ରାଜନୈତିକ ଦଳରେ ମହିଳାଙ୍କ ଲାଗି ନିରାପଦ ବ୍ଯବସ୍ଥା ପ୍ରତି ଗୁରୁତ୍ବ ଦିଆଯିବ। ଯୌନ ନିର୍ଯାତନା ସଂକ୍ରାନ୍ତ ଅଭିଯୋଗର ନିରାକରଣ କରାଯିବା ଲାଗି ଦଳଗୁଡିକ ବାଧ୍ୟହେବେ। ରାଜନୈତିକ ଦଳରେ ନିଯୁକ୍ତିଦାତା-କର୍ମଚାରୀ ପରି ବ୍ୟବସ୍ଥା ନଥିବାରୁ ଆଇସିସିର କୌଣସି ଆବଶ୍ୟକତା ନାହିଁ ବୋଲି ୨୦୨୨ରେ କେରଳ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ନେଇ ବି ଜନସ୍ବାର୍ଥ ମାମଲାରେ ପ୍ରଶ୍ନ କରାଯାଇଛି।