ବିଜେପି-ଟିଡିପି ମେଣ୍ଟ; ଆନ୍ଧ୍ରକୁ ପୋଲାଭରମ୍ ଲାଭ, ଓଡ଼ିଶାର ଦୁଃଖ

ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପ । ଗୋଦାବରୀ ନଦୀରେ ଏହି ପ୍ରକଳ୍ପ ହେବା ପରେ ବୁଡ଼ି ଯିବ ଓଡ଼ିଶାର ହଜାର ହଜାର ହେକ୍ଟର ଜମି । ଜଙ୍ଗଲ ବି ବୁଡ଼ିବ । ବିସ୍ଥାପିତ ହେବେ ହଜାର ହଜାର ଆଦିବାସୀ । ଏବେ କେନ୍ଦ୍ର ସରକାରରେ ଟିଡିପି ସାମିଲ ହେବାକୁ ଯାଉଥିବାରୁ ପ୍ରଭାବିତ ଅଞ୍ଚଳର ଲୋକଙ୍କ ଡର ଆହୁରି ବଢ଼ିଲାଣି । କାରଣ ଚାପ ପକାଇ ଏହି ପ୍ରକଳ୍ପର କାମକୁ ତ୍ବରାନ୍ବିତ କରିବ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି । ପ୍ରଭାବିତ ହେବାକୁ ଥିବା ମାଲକାନଗିରି ମୋଟୁ ଅଞ୍ଚଳର ଆଦିବାସୀ କ’ଣ କରିବେ, ସେମାନଙ୍କୁ କିଛି ବୁଦ୍ଧି ବାଟ ଦିଶୁ ନାହିଁ ।

ଏନଡିଏ ସରକାରରେ ଟିଡିପି ସାମିଲ ହେଉଥିବାରୁ ଓଡ଼ିଶାରେ ଛନକା । ବିଶେଷ କରି ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳର ଲୋକଙ୍କ ଚିନ୍ତା ବଢ଼ିଲାଣି । ସେମାନଙ୍କ ଆଶଙ୍କା, ଏବେ ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ତୁରନ୍ତ ସଂପୂର୍ଣ୍ଣ କରିବାକୁ କେନ୍ଦ୍ର ଉପରେ ଚାପ ପକାଇ ପାରେ ଟିଡିପି । ଏଥିପାଇଁ କଂଗ୍ରେସର ୱାଇଏସ୍ ଶର୍ମିଳା ମଧ୍ଯ ଟିଡିପିକୁ ଆହ୍ବାନ ଦେଲେଣି । ଗୋଦାବରୀ ନଦୀରେ ପ୍ରସ୍ତାବିତ ପୋଲାଭରମ ପ୍ରକଳ୍ପ ହେଲେ ଆନ୍ଧ୍ର ସିନା ବହୁତ ଫାଇଦା ପାଇବ, ହେଲେ କ୍ଷତିଗ୍ରସ୍ତ ହେବେ ମାଲକାନଗିରିର ବହୁ ଆଦିବାସୀ । ବୁଡ଼ିଯିବ ପ୍ରାୟ ୭ ହଜାର ହେକ୍ଟର ଜମି । ଜଙ୍ଗଲ ହେବ ଜଳମଗ୍ନ, ବିସ୍ଥାପିତ ହେବେ ହଜାର ହଜାର ଆଦିବାସୀ । ପଛୁଆ ପାଣିରେ ବି ଅନେକ ଅଞ୍ଚଳ ବୁଡ଼ି ଯିବ । ତେଣୁ ଆଗରୁ ବି ଓଡ଼ିଶା ଏହାକୁ ବିରୋଧ କରିଆସିଛି । କିନ୍ତୁ ବର୍ତ୍ତମାନର ଜାତୀୟ ସମୀକରଣକୁ ଦେଖିଲେ, ପୋଲାଭରମ ପ୍ରକଳ୍ପ ପାଇଁ ଓଡ଼ିଶା ବହୁତ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ପୋଲାଭରମ ପ୍ରକଳ୍ପ ସପକ୍ଷରେ ଆନ୍ଧ୍ର କଂଗ୍ରେସ ବାହାରିଥିବା ବେଳେ ଓଡ଼ିଶା କଂଗ୍ରେସ ରାଜ୍ଯର ସ୍ବାର୍ଥ ସପକ୍ଷରେ । ପୋଲାଭରମ ପ୍ରକଳ୍ପ ଦ୍ବାରା ଓଡ଼ିଶା କ୍ଷତିଗ୍ରସ୍ତ ହେଉ ଥିବାରୁ ମିଳିତ ଭାବେ ଏହାର ଦୃଢ଼ ବିରୋଧ କରିବାକୁ ଆହ୍ବାନ ଦେଇଛି ରାଜ୍ଯ କଂଗ୍ରେସ ।

ସେପଟେ ଶେଷ ପର୍ଯ୍ଯାୟରେ ପହଞ୍ଚିଛି ପୋଲାଭରମ କାମ । ଡିସେମ୍ବର ୨୦୨୫ ସୁଦ୍ଧା ନିର୍ମାଣ ଶେଷ କରିବାକୁ ଆନ୍ଧ୍ର ସରକାର ଲକ୍ଷ୍ଯ ରଖିଛନ୍ତି । କେନ୍ଦ୍ର ସରକାର ମଧ୍ଯ ଏହାକୁ ଜାତୀୟ ପ୍ରକଳ୍ପର ମାନ୍ଯତା ଦେଇଛନ୍ତି । ରାଜ୍ଯରେ ବିଜେଡି ସରକାର ଥିବା ବେଳେ ପୋଲାଭରମକୁ ଜୋରଦାର ବିରୋଧ କରିଥିଲା । ଏବେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଏହା କେଉଁ ମୋଡ଼ ନେବ, ତାକୁ ନେଇ ଚିନ୍ତାରେ ପ୍ରଭାବିତ ଅଞ୍ଚଳର ଲୋକେ ।