ନିତିଶ କୁମାର କରିବେ ଖେଲା, ବିହାର ଗାଦିରୁ ହଟିବ ବିଜେପି

ପାଟନା: ବିହାର ରାଜନୀତି ଗରମ । ୧୧ ଅଗଷ୍ଟ ପୂର୍ବରୁ ଭାଙ୍ଗି ପାରେ ବିହାରର ଏନଡିଏ ସରକାର । ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ବିଜେପି ମଧ୍ୟରେ କିଛିଦିନ ହେଲା ଚାଲିଥିବା ଛକାପଞ୍ଝାରୁ ଏମିତି କିଛି ଆଭାସ ମିଳିବାରେ ଲାଗିଛି । ଏନଡିଏରୁ ଓହରି ଆରଜେଡି ସହ ମିଶି ପୁଣି ଥରେ ସରକାର ଗଠନ କରିପାରନ୍ତି ନିତିଶ କୁମାର । ତେବେ କାହିଁକି ବିହାରରେ ସୃଷ୍ଟି ହୋଇଛି ଏପରି ରାଜେନୖତିକ ଅସ୍ଥିରତା ? ଏହା ପଛର କାରଣ କ’ଣ ?

ଗତ ଏକ ମାସର ଘଟଣା କ୍ରମକୁ ଦେଖିଲେ ନିତିଶ କୁମାର ଓ ବିଜେପି ମଧ୍ୟରେ ସବୁ କିଛି ଠିକ ଥିବା ଭଳି ମନେ ହେଉନାହିଁ । ଏହି ସମୟ ମଧ୍ୟରେ ନିତିଶ କୁମାର ଥରେ କି ଦୁଇ ଥର ନୁହେଁ ବିଜେପିଠାରୁ ୪ ଥର ଦୂରେଇ ରହିଛି ।

ପ୍ରଥମେ ଜୁଲାଇ ୧୭ରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ନିତିଶ କୁମାର ଦୂରରେ ରହିଥିଲେ । ତ୍ରିରଙ୍ଗାକୁ ନେଇ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଶାହ କରିଥିବା ଏହି ବୈଠକରେ ନିତିଶ କୁମାର ଯୋଗ ଦେଇ ନଥିଲେ । ଏହାପରେ ଜୁଲାଇ ୨୨ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟକାଳିନ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ଥାଇ ବି ନିତିଶ ସାମିଲ ହୋଇନଥିଲେ ।

ଏପରିକି ଜୁଲାଇ ୨୫ରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇନଥିଲେ । ଆଜି ଅର୍ଥାତ ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିତି ଆୟୋଗ ବୈଠକରେ ମଧ୍ୟ ନିତିଶଙ୍କୁ ଦେଖିବାକୁ ମିଳିନଥିଲା ।

ନିତିଶ ଦୂରେଇବାର କାରଣ

ନିତିଶ କୁମାର ବିଜେପିଠାରୁ ଦୂରେଇବାର କାରଣ ଆରସିପି ସିଂହ ବୋଲି କହାଯାଉଛି । ପୂର୍ବ କେନ୍ଦ୍ର ମନ୍ତ୍ରୀ ତଥା ଜେଡିୟୁର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ସିଂହଙ୍କୁ ଶନିବାର ଦିନ ଦଳ ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ସ୍ପଷ୍ଟିକରଣ ମଗା ଯାଇଥିଲା । ଏହାପରେ ଆରସିପି ଦଳର ପ୍ରାଥମିକ ସଦସ୍ୟତା ଛାଡ଼ି ଦେଇଥିଲେ । କୁହାଯାଉଛି, ନିତିଶଙ୍କ ଅନିଚ୍ଛା ସତ୍ତ୍ବେ ଆରସିପିଙ୍କୁ କେନ୍ଦ୍ର ମନ୍ତ୍ରୀ କରାଯାଇଥିଲା । ବିଜେପି ନେତାଙ୍କ ସହ ତାଙ୍କ ବହୁତ ଭଲ ସମ୍ପର୍କ ରହିଛି ଓ ଜେଡିୟୁରେ ବିଜେପିର ଲୋକ ଭାବେ କାମ କରୁଥିଲେ ।

ସୂଚନା ଅନୁସାରେ, ଆରସିପିଙ୍କୁ ନିତିଶ କୁମାର ତୃତୀୟ ଥର ପାଇଁ ରାଜ୍ୟସଭାକୁ ନ ପଠାଇବାରୁ ତାଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏହାପରେ ଆରସିପି ନିତିଶଙ୍କଠାରୁ ଦୂରତା ବଢ଼ାଇ ଦେଇଥିଲେ । ଏହି ସମୟରେ ନିତିଶ କୁମାର ବିଜେପିର ସତ ଜାଣି ଯାଇଥିଲେ । ଆରସିପିଙ୍କୁ ବ୍ୟବହାର କରି ବିଜେପି ତାଙ୍କୁ ଦୁର୍ବଳ କରିବାକୁ ଚାହୁଁଥିବା ସେ ବୁଝି ପାରିଥିଲେ । ତେଣୁ ଠିକ ସମୟ ଦେଖି ସେ ଆରସିପିଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣିଲେ ଓ ତାଙ୍କୁ ଦଳରୁ ଇସ୍ତଫା ଦେବାକୁ ପଡ଼ିଲା ।

ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ କହିଛନ୍ତି, ‘କିଛି ଲୋକ ପୁଣି ଥରେ ୨୦୨୦ ଚିରାଗ ପାସଓ୍ବାନ ମଡେଲ ଆପଣାଇବାକୁ ଚାହୁଁଥିଲେ । ନିତିଶ କୁମାର ଏହି ଷଡଯନ୍ତ୍ରକୁ ଜାଣିଗଲେ । ଆରସିପିଙ୍କ ଶରୀର ଜେଡିୟୁରେ ଥିଲା ହେଲେ ତାଙ୍କ ମନ ଅନ୍ୟ କେଉଁଠି ଥିଲା ।’ କୁହାଯାଉଛି ତାଙ୍କର ଏହି ଇସାରା ବିଜେପି ଆଡ଼କୁ ଥିଲା ।

ଅନ୍ୟପକ୍ଷରେ ଗୋଳିଆ ପାଣିରୁ ମାଛ ଧରିବାକୁ ଉଦ୍ୟମ ଚଲାଇଛି ଆରଜେଡି । ଦେଖାଯାଉଛି କିଛିଦିନ ହେବ ନିତିଶ କୁମାରଙ୍କ ପ୍ରତି ଆରଜେଡିର ସ୍ବର ନରମ ହୋଇଯାଇଛି । ଏପରିକି ଦଳର ମୁଖପାତ୍ରମାନଙ୍କୁ ନିତିଶଙ୍କ ବିରୋଧରେ ବୟାନବାଜି ନକରିବାକୁ କୁହାଯାଇଛି । ଆକଳନ କରାଯାଉଛି ନିତିଶ କୁମାର ଏବଂ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ପରସ୍ପର ସମ୍ପର୍କରେ ରହିଛନ୍ତି ଓ ୧୧ ଅଗଷ୍ଟ ପୂର୍ବରୁ ବିହାରରେ ସରକାର ଗଠନ କରିବାକୁ ଉଦ୍ୟମ କରିବେ ।