ନବଜାତ ଶିଶୁକନ୍ୟାକୁ ଗଙ୍ଗାରେ ଫିଙ୍ଗି ଦେଲେ ମାଆବାପା

ଭଗଲପୁର: ବିହାର ଭଗଲପୁରରେ ଏକ ନବଜାତ ଶିଶୁକନ୍ୟାକୁ ଗଙ୍ଗାରେ ଫିଙ୍ଗି ଦେଲେ ତା’ର ଜନ୍ମକଲା ମାଆବାପା । ଭଗବାନଙ୍କ କୃପାରୁ ଝିଅଟିକୁ ଉଦ୍ଧାର କରାଯାଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀ ଜୀବନକୁ ବାଜି ଲଗାଇ ଗଙ୍ଗା ନଦୀରୁ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ।

ସୂଚନା ଅନୁସାରେ ନବଜଛିଆ ଓ ଭଗଲପୁରକୁ ସଂଯୋଗ କରୁଥିବା ବିକ୍ରମଶିଳା ପୋଲ ଉପରୁ ନିଷ୍ଠାର ମାଆବାପା ନବଜାତ ଶିଶୁ କନ୍ୟାକୁ ଏକ ବ୍ୟାଗରେ ଭରି ଗଙ୍ଗକୁ ଫିଙ୍ଗି ଦେଇଥିଲେ । ହେଲେ ଭଗବାନଙ୍କ ବିଚାର ଥିଲା ଭିନ୍ନ । ପିଲାଟି ନଦୀରେ ବୁଡ଼ିବା ବଦଳରେ ରିଲିଂରେ ଲାଗିଥିବା ଗାର୍ଡରରେ ଲାଗି ଯାଇଥିଲା ।

ଶିଶୁକନ୍ୟାଟି ଚିତ୍କାର କରି କାନ୍ଦୁ ଥିବା ପୋଲ ଦେଇ ଯାଉଥିବା ଯାତ୍ରୀଙ୍କ କାନରେ ପଡ଼ିବା ପରେ ଲୋକେ ଏକାଠି ହୋଇ ଯାଇଥିଲେ । ପରେ ସେଠାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ କୁହାଯାଇଥିଲା । ପୋଲିସ କର୍ମଚାରୀ ଜଣଙ୍କ ଘଟଣା ସ୍ଥଳରେ ପହଞ୍ଚି ପିଲାଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ସେ ନିଜ ଜୀବନକୁ ବାଜି ଲଗାଇ ପୋଲ ତଳକୁ ଓହ୍ଲାଇବା ସହ ପିଲାଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଏହାପରେ ଘଟଣା ସମ୍ପର୍କରେ ସେ ଏସଡିଓ ଏବଂ ଡିଏସପିଙ୍କୁ ସୂଚନା ଦେଇଥିଲେ । ଶିଶୁକନ୍ୟାଟିକୁ ଜିଏଲଏନଏମସିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚାଇଲ୍ଡ ଲାଇନ୍ ସହଯୋଗରେ ପିଲାଟିକୁ ଅନାଥାଶ୍ରମରେ ରଖାଯିବାକୁ ନିଷ୍ପତ୍ତି ନିଆ ଯାଇଥିବା ଜଣାପଡ଼ିଛି ।