ଇଦ୍, ରାମନବମୀ ପାଇଁ କଡ଼ା ସୁରକ୍ଷା ବଳୟରେ ସାରା ରାଜ୍ୟ

ଭୁବନେଶ୍ବର : ଉତ୍ସାହର ସହ ପର୍ବ ପାଳନ କର, କିନ୍ତୁ ଆଇନକୁ ହାତକୁ ନିଅନି । ମହଙ୍ଗା ପଡିପାରେ ଧର୍ମକୁ ନେଇ ଆପତ୍ତିଜନକ ମନ୍ତବ୍ୟ । ରେଞ୍ଜ ଆଇଜି ଓ ଡ଼ିଆଇଜି ଙ୍କ ସହ ଡିଜିପିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶୋଭାଯାତ୍ରା ପାଇଁ ଅନୁମତି ପୂର୍ବରୁ ହେବ କଡାକଡି ଯାଞ୍ଚ । ଆଗକୁ ଇଦ, ରାମ ନବମୀ ଓ ପଣା ସଂକ୍ରାନ୍ତି । ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ବେଶ ଆନନ୍ଦ ଉଲ୍ଲାସରେ ଏହି ପର୍ବକୁ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଭାଇଚାରା ଓ ସଦଭାବନା ସହ ରାଜ୍ୟରେ ଏହି ପର୍ବକୁ ପାଳନ ନିମନ୍ତେ ଅଣ୍ଟା ଭିଡ଼ିଛି ପୋଲିସ ପ୍ରଶାସନ । ବରିଷ୍ଠ ପୋଲିସ ଅଧିକାରୀ ଏ ନେଇ ଏସପି, ଆଇଜି ଓ ଡ଼ିଆଇଜିଙ୍କ ସହ ବୈଠକ କରିବା ପରେ ବଛା ବଛା ପୋଲିସ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲା ଠାରୁ ଆରମ୍ଭ କରି କମିଶନରେଟ ପୋଲିସ ପର୍ଯ୍ୟନ୍ତ ଅପରାଧୀଙ୍କ ଗତିବିଧି କୁ ଲକ୍ଷ କରାଯାଇଛି । ଭୁବନେଶ୍ୱରରେ ପେଶାଦାର ତଥା ଫେରାର ଅପରାଧୀଙ୍କ ଘରେ ଲଟକା ଲାଗୁଛି । ସହରକୁ ଅପରାଧ ମୁକ୍ତ କରିବା ପାଇଁ ନିଶା ମାଫିଆଙ୍କ ବିରୋଧରେ ଜିରୋ ଟଲରାନ୍ସ ଗ୍ରହଣ କରାଯାଉଛି ।

ସମ୍ବଲପୁର, ସୁନ୍ଦରଗଡ, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଖୋର୍ଦ୍ଧା ଉପରେ ଅଧିକ ନଜର ରହିଛି । ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ, ସଦଭାବନା କ୍ଷୁର୍ଣ୍ଣ ହେଉଥିବା ବାର୍ତ୍ତା ଓ ପୋଷ୍ଟ ନକରିବାକୁ ଅନୁରୋଧ କରାଯାଇଛି । ଧର୍ମକୁ ନେଇ କଟାକ୍ଷ ଓ ଗୁଜବ ଉପରେ ନଜର ରଖିବାକୁ ଓଡିଶା ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେପଟେ ଫେଷ୍ଟିଭ ସିଜିନକୁ ଦୃଷ୍ଟିରେ ରଖି ପୁରୁଣା ଦାଗି ବା ୱାରେଣ୍ଟିଙ୍କୁ ଚିହ୍ନଟ ଚାଲିଛି । ଥାନାରେ ହାଜିରା ଦେଉନଥିବା ଅପରାଧୀଙ୍କ ଘରେ ଲଟକା ଲାଗୁଛି । କ୍ୟାପିଟାଲ ଥାନା ଓ ଖଣ୍ଡଗିରି ଥାନା ଅଧିନରେ ଲଟକା ଲଗାଇ ଅପରାଧୀଙ୍କ ଛାତିରେ ଛନକା ପୁରାଇଛନ୍ତି ଡିସିପି ଜଗମୋହନ। ପୂର୍ବରୁ ଥାନା ଅଧିକାରୀ ଓ ଏସିପିଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ଡିସିପି । ମାତ୍ରାଧିକ ଅପରାଧରେ ଲିପ୍ତ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ ସହ ତଡିପାର କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।