ସୋସିଆଲ ମିଡ଼ିଆରେ ଆପତ୍ତିଜନକ ପୋଷ୍ଟ ଉପରେ କମେଣ୍ଟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ

1 min read
Social Media Objection Posts Action

ଭୋପାଳ: ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ି ଚାଲିଥିବା ବେଳେ ଏହାଦ୍ବାରା ଅନେକ ଅପରାଧିକ କାର୍ଯ୍ୟକଳାପ ବଢ଼ୁଥିବାର ଦେଖାଯାଉଛି । ଅନେକ ସମୟରେ କିଛି ସୋସିଆଲ ମିଡ଼ିଆ ୟୁଜର୍ସ ଆପତ୍ତିଜନକ ପୋଷ୍ଟ ଉପରେ କମେଣ୍ଟ କରିବା ସହିତ ତାହାକୁ ଲାଇକ୍ ଓ ଶେୟାର କରିଥାନ୍ତି । ଏଭଳି ୟୁଜର୍ସଙ୍କ ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା । ଏନେଇ ପୋଲିସ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ଗ୍ରୁପର ଆଡମିନଙ୍କୁ ସତର୍କ କରାଯିବା ସହ ଏପରି ସନ୍ଦେଶକୁ ରୋକିବାକୁ କୁହାଯାଇଛି ।

ସୂଚନା ମୁତାବକ, ସୋସିଆଲ ମିଡ଼ିଆରେ ଶର୍ଟ ଭିଡିଓ ଏବଂ ରୀଲ ଅପଲୋଡକୁ ନେଇ ଭୋପାଳ ପୋଲିସ ପକ୍ଷରୁ କଟକଣା ଲାଗୁ କରାଯାଇଛି । ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୧୬୩ ଅନୁସାରେ ଏହି କଟକଣା ଲାଗୁ କରିଛି ପୋଲିସ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଆପତ୍ତିଜନକ ପୋଷ୍ଟ କରୁଥିବା ଲୋକଙ୍କ ପାଇଁ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି । ଏନେଇ ଭୋପାଳ ପୋଲିସ କମିଶନରଙ୍କ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ପୋଲିସ କମିଶନରଙ୍କ ତରଫରୁ ଜାରି  ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି, ଯଦି କୌଣସି ବ୍ୟକ୍ତି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଆପତ୍ତିଜନକ ଫଟୋ-ଭିଡିଓ ଉପରେ ଟେକ୍ସଟ କରିବେ, ତେବେ ତାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆପତ୍ତିଜନକ ପୋଷ୍ଟ ଉପରେ କମେଣ୍ଟ କରିବା, ଲାଇକ୍ କରିବା, ଶେୟାର କରିବା ବା ଫରଓ୍ବାର୍ଡ କରୁଥିବା ଲୋକଙ୍କୁ ଚେତାବନୀ ଦେଇ ସାବଧାନ ରହିବାକୁ କୁହାଯାଇଛି ।