ହାଜତ ମୃତ୍ୟୁ ଅଭିଯୋଗ ପରେ ପୁରୀରେ ଥାର୍ଡ୍ ଡିଗ୍ରୀ ମାମଲା, ପୋଲିସକୁ ଅଦାଲତଙ୍କ ଭର୍ତ୍ସନା

1 min read

ପୁରୀ: ପୁରୀ ହାଜତ ମୃତ୍ୟୁ ମାମଲା ଗରମ ଥିବା ବେଳେ ପୋଲିସ ବିରୋଧରେ ଆଉ ଏକ ସାଙ୍ଘାତିକ ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ପୁରୀ ଟାଉନ ଥାନା ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କ ନିଜ ହେପାଜତରେ ଥାର୍ଡ ଡିଗ୍ରୀ ନିର୍ଯାତନା ଦେଇଛି । ବ୍ରାଉନ୍ ସୁଗାର କାରବାର ଅଭିଯୋଗରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଥାନା ଭିତରେ ଅକଥନୀୟ ଅତ୍ୟାଚାର କରାଯାଇଥିଲା ବୋଲି ଉଭୟ କୋର୍ଟଙ୍କ ସମ୍ମୁଖରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଛି ।

ବ୍ରାଉନ ସୁଗର କାରବାର ଅଭିଯୋଗରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଦୁଇ ଭାଇ । ସେମାନଙ୍କ ଅଭିଯୋଗ ଯେ, ପୋଲିସ ହେପାଜତରେ ଥିବା ବେଳେ ଜେରା ନାମରେ ସେମାନଙ୍କ ବିରୋଧରେ ଥାର୍ଡ ଡିଗ୍ରୀ ପ୍ରୟୋଗ ହୋଇଥିଲା । ଟାଉନ୍ ଥାନା ପୋଲିସ ଦୁଇ ଭାଇଙ୍କୁ ମାଡ଼ ମାରି  ପିଚାର ମାଂସ ଝଡ଼ାଇ ଦେଇଥିବା ଅଭିଯୋଗ ହୋଇଛି ।  ବ୍ରାଉନ ସୁଗାର କାରବାର ପାଇଁ ଚୁଡ଼ଙ୍ଗ ସାହିର ଦୁଇ ଭାଇଙ୍କୁ ଗିରଫ କରିଥିଲା ଟାଉନ ଥାନା ପୋଲିସ । ଦୁଇ ଭାଇ ହେଲେ ରାଜେନ୍ଦ୍ର ସାହୁ ଓ ମହେନ୍ଦ୍ର ସାହୁ । ଉଭୟ ଦୀପାବଳି ପରଠାରୁ ପୋଲିସ ହେପାଜତରେ ଥିଲେ ।

ଅଭିଯୋଗ ଅନୁସାରେ ଦୀପାବଳି ପରଠାରୁ ଦୁଇ ଭାଇଙ୍କୁ ଗିରଫ କରି ଥାନାରେ ଥାର୍ଡ଼ ଡିଗ୍ରୀ ଦିଆଯାଇଥିବା ବେଳେ ଗତ ୧୯ତାରିଖରେ ଉଭୟ ଭାଇଙ୍କୁ ndps ଦଫାରେ   କୋର୍ଟ ଚାଲାଣ କରିଥିଲା ପୋଲିସ । ତେବେ କୋର୍ଟଙ୍କ ନିକଟରେ ଦୁଇ ଭାଇ ନିଜର କ୍ଷତ ଦେଖାଇବା ପରେ କୋର୍ଟ ପୋଲିସକୁ ଭର୍ତ୍ସନା କରି ଉଭୟ ଭାଇଙ୍କୁ ପୁନର୍ବାର ଡାକ୍ତରୀ ମାଇନା କରି ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

Leave a Reply