ନିଶା ମାଫିଆଙ୍କ ଉପରେ ପୋଲିସର ‘ପ୍ରହାର’: ମାଓବାଦୀଙ୍କ ମେରୁଦଣ୍ଡ ଉପରେ ମାଡ଼

ନିଶା ମାଫିଆଙ୍କ ଉପରେ ପୋଲିସର ‘ପ୍ରହାର’ । ମାଓବାଦୀଙ୍କ ମେରୁଦଣ୍ଡ ଉପରେ ମାଡ଼ । କୋରାପୁଟରୁ ଜବତ ହେଲା ୪୦ ଲକ୍ଷର ଗୁଟଖା । ୩ଟି ଥାନା ଅଞ୍ଚଳରୁ ୪୩୧ କେଜି ଗଞ୍ଜେଇ ଜବତ । ରାଜ୍ୟରେ ନିଶା କାରବାର ଉପରେ ରୋକ ଲଗାଇବାକୁ ଡିଜିପିଙ୍କ ନିର୍ଦ୍ଦେଶରେ ରାଜ୍ୟରେ ଆରମ୍ଭ ହୋଇଛି ଅପରେସନ ପ୍ରହାର । ଏହି କ୍ରମରେ କୋରାପୁଟ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ଚଢାଉ କରିଛି ପୋଲିସ୍ । ଜିଲ୍ଲାର କାକିରିଗୁମା ଥାନା ଅଞ୍ଚଳରୁ ୩୯୪ କେଜି ଗଞ୍ଜେଇ ଜବତ କରାଯାଇଥିବାବେଳେ ଶିମିଳିଗୁଡାରୁ ୩୨ କେଜି ଓ ଜୟପୁରରୁ ୫ କେଜି ଗଞ୍ଜେଇ ଜବତ କରାଯାଇଛି । ମାମଲାରେ ଗୋଟିଏ ଟ୍ରକ ଓ ଗୋଟିଏ ବୋଲେରୋ ଜବତ କରିଛି ପୋଲିସ । ଆସନ୍ତା ଦିନରେ ଅପରେସନ ପ୍ରହାରକୁ ଅଧିକ କ୍ରିୟାଶୀଳ କରାଯିବ କହିଛନ୍ତି କୋରାପୁଟ ଏସପି।

ଅପରେସନ ପ୍ରହାର ମାଧ୍ୟମରେ କେବଳ ଗଞ୍ଜେଇ ନୁହେଁ ବେଆଇନ ମଦ ଓ ଗୁଟଖା କାରବାର ଉପରେ ବି ହୋଇଛି ଚଢାଉ । ଜୟପୁର ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଗୁଟଖା ଜବତ କରିଛି ପୋଲିସ । ଜବତ ଗୁଟଖାର ଆନୁମାନିକ ମୁଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ । ଗୁଟଖା ଗୁଡିକ କେଉଁଠି ଆସୁଛି କିଏ କିଏ ଏହି କାରବାରରେ ସାମିଲ୍ ଅଛନ୍ତି ତାହା ଉପରେ ତଦନ୍ତ ଚାଲିଥିବା କହିଛନ୍ତି କୋରାପୁଟ ଏସପି । ଜିଲ୍ଲାର ସମସ୍ତ ଶିକ୍ଷା ଅନୁଷ୍ଠାନର ନିକଟରେ ନଜର ରଖିଛି ପୋଲିସ୍ । ଆଗକୁ ପାର୍ବଣ ଥିବାରୁ ଜିଲ୍ଲାରେ ସକ୍ରିୟ ହୋଇଛନ୍ତି ନିଶା ମାଫିଆ । ତେବେ ପୋଲିସର ଅପରେସନ ପ୍ରହାର ଫଳରେ ମାଫିଆଙ୍କ ଭିତରେ ଆତଙ୍କ ଖେଳିଥିବାବେଳେ ଗଞ୍ଜେଇ ଜବତ ପରେ ଏହା ମାଓବାଦୀଙ୍କ ଆର୍ଥୀକ ମେରୁଦଣ୍ଡ ଉପରେ ପଡ଼ି ଶକ୍ତ ପ୍ରହାର।