୨ ହଜାର ଟଙ୍କା ନଦେଲେ ୧୦ ହଜାର ଟଙ୍କା ଫାଇନ୍ କାଟିଦେବି: ପୋଲିସ ବାବୁ

ଯାଜପୁର: ଲାଞ୍ଚ ପାଇଁ ବାୟା ହେଲେ ପୋଲିସ୍ ବାବୁ । ଲାଞ୍ଚ ଆଦାୟକୁ ନେଇ ଖାକି ବର୍ଦ୍ଦିର ଦବଙ୍ଗଗିରିର ଭିଡ଼ିଓ ଏବେ ଭାଇରାଲ । ଟାଙ୍କା ଦିଅ ନହେଲେ ଫାଇନ୍ ପକେଇ ଦେବି’ କହି ଲାଞ୍ଚ ମାଗୁଥିଲେ ପୋଲିସ୍ ବାବୁ । ଆଉ ଏହି ସମ୍ପୂର୍ଣ୍ଣ ଘଟଣାରୁ ଫୋନ ଦ୍ୱାରା ରେକର୍ଡ ମଧ୍ୟ କରାଯାଇଛି । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଲାଞ୍ଚ ମାଗୁଥିବା ପୋଲିସ ବାବୁ ଜଣଙ୍କ ହେଉଛନ୍ତି ଯାଜପୁରର ଟମକା ଥାନାର ଏସଆଇ ।

୨ ହଜାର ଟଙ୍କା ନଦେଲେ ୧୦ ହଜାର ଟଙ୍କା ଫାଇନ କାଟିବାର ଧମକ ଦେଉଥିବାର ଭିଡ଼ିଓ ଏବେ ଭାଇରାଲ । ଏହି ଭାଇରାଲ ଭିଡ଼ିଓରେ ପୋଲିସ ବାବୁ ହେଉଛନ୍ତି ଯାଜପୁର ଜିଲ୍ଲାର ଟମକା ଥାନାର ସବ୍ ଇନ୍ସପେକ୍ଟର ମହମ୍ମଦ ସେରଜ । କରୋନା କଟକଣା ସମୟରେ ସାଧା ପୋଷାକରେ ପୋଲିସ ବାବୁ ଜଣଙ୍କ ରାସ୍ତା କଡରେ ଟ୍ରକ୍ ଚାଳକଙ୍କୁ ଲାଞ୍ଚ ଦେବା ପାଇଁ ବାଧ୍ୟ କରିଥିଲେ । ଆଉ ଟଙ୍କା ନଦେଲେ ଫାଇନ ପକେଇଦେବେ ବୋଲି ଧମକ ମଧ୍ୟ ଦିଇଥିଲେ । କେବଳ ସେତି ନୁହେଁ  ଧମକପୂର୍ଣ୍ଣ ସ୍ୱରରେ ଲାଞ୍ଚ ମାଗିବା ସହ ସେ ଟ୍ରକ ଡ୍ରାଇଭରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ  ।

ସୂଚନା ଅନୁସାରେ, ଡ୍ରାଇଭର ଜଣଙ୍କ ଗାଡ଼ିକୁ ଭୁଲ୍ ପାର୍ଶ୍ୱରେ ନେଉଥିଲେ ଯାହାକୁ ଚେକିଂ ସମୟରେ ପୋଲିସ୍ ଧରିଥିଲା । ଏହା ପରେ ପୋଲିସ ବାବୁ ଫାଇନ ନକାଟି ପ୍ରଥମେ ଲାଞ୍ଚ ମାଗିଥିଲେ ଲାଞ୍ଚ ନଦେଲେ ଫାଇନ ପକେଇ ଦେବେ ବୋଲି ଧମକ୍ ମଧ୍ୟ ଦେଇଥିଲେ । ଡ୍ରାଇଭର ଟଙ୍କା ଦେବାକୁ ତାଙ୍କର ଅକ୍ଷମତା ବିଷୟରେ ଅବଗତ କରାଇ ମାଆ ମୃତ୍ୟୁବରଣ କରିଥିବା ସେ କହିବା ପରେ ପୋଲିସ ଅଧିକାରୀଜଣଙ୍କ ଗରମ ଆଚରଣ କମି ନଥିଲା  ।  ଶେଷରେ ଡ୍ରାଇଭର ଜଣଙ୍କ ପୋଲିସ ବାବୁଙ୍କୁ ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ  । ଏ ଦୃଶ୍ୟ ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ପାଲିଟିଛି  । ଯାଜପୁର ଏସପି ଚରଣ ସିଂ ମୀନା ଏହାର ତଦନ୍ତ ପାଇଁ ଟମକା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଜଣେ ପୋଲିସ ଅଧିକାରୀଙ୍କ ଏଭଳି ଆଚରଣକୁ ନେଇ ତୀବ୍ର ନିନ୍ଦା କରାଯାଉଛି  ।

Leave a Reply