ଥାନାରେ ମୂଷା ଚାଟିଦେଲେ ୧୪୫୯ଟି ପେଟି ମଦ, ଯାଞ୍ଚରୁ ଜଣାପଡ଼ିଲା ଦାବି କେତେ ସତ…

Police Says Rats Destroyed More Than 1400 Cartons Of Seized Wine

ଲକ୍ଷ୍ନୌ: ମୂଷା ପିଇଦେଲେ ପେଟି ପେଟି ମଦ । ଗୋଟିଏ କି ଦୁଇଟି ନୁହେଁ ପୂରା ୧୪୫୯ଟି ପେଟି ମଦ ମୂଷା ପିଇ ଦେଇଛନ୍ତି । ଉତ୍ତରପ୍ରଦେଶ ଏଟା କୋତବାଲିର ଦେହାତ ଥାନାର ଷ୍ଟ୍ରଙ୍ଗରୁମରେ ୩୫ ଲକ୍ଷ ଟଙ୍କାର ୧୪୦୦ ପେଟିରୁ ଅଧିକ ଜବତ ମଦ ରଖାଯାଇଥିଲା । ସେଠାରେ ନିୟୋଜିତ ପୋଲିସ ଅଧିକାରୀଙ୍କ ଅନୁସାରେ ସେସବୁ ମଦ ପେଟିକୁ ମୂଷା ନଷ୍ଟ କରି ଦେଇଛନ୍ତି । ପୋଲିସ ଷ୍ଟେସନର ରେକର୍ଡରୁ ମିଳିଥିବା ସୂଚନା ଅନୁସାରେ, ମୂଷା ବେଆଇନ୍ ମଦର ପ୍ଲାଷ୍ଟିକ ବୋତଲ ଚୋବାଇ ଦେଇଥିବା ବେଳେ କାଚ ବୋତଲ ଭାଙ୍ଗି ଦେଇଛି । ସେହିଭଳି ମଦ ପେଟିଗୁଡ଼ିକୁ ମୂଷା ନଷ୍ଟ କରି ଦେଇଛନ୍ତି ।

ଏଭଳି ତଥ୍ୟ ପରେ ଆଗ୍ରା ଜୋନ୍ ଏସପି ମାମଲାର ତଦନ୍ତ ଭାର ଅଲିଗଡ଼ର ଆଇପିଏସ୍ ଅଧିକାରୀ ବିକାଶ ସିଂହଙ୍କୁ ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ପୋଲିସ ଜବତ ମଦକୁ ଗ୍ୟାଙ୍ଗଷ୍ଟର ବନ୍ଧୁ ଯାଦବକୁ ବିକ୍ରି କରି ଦେଇଛି । ପୋଲିସ ଗ୍ୟାଙ୍ଗଷ୍ଟର ବଣ୍ଟୁକୁ ଶୁକ୍ରବାର ଗିରଫ କରି ତଦନ୍ତ ଜାରି ରଖିଛି । ଏହି ମାମଲାରେ ଥାନାର ଏସଏଚଓ ଇନ୍ଦ୍ରେଶପାଳ ସିଂହ ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ଫେରାର୍ ଅଛି ।

ମାର୍ଚ୍ଚ ୧୨ ତାରିଖରେ ଏସପି ଓ ବରିଷ୍ଠ ଅଧିକାରୀ ଦେହାତ ପୋଲିସ ଷ୍ଟେସନକୁ ନିରୀକ୍ଷଣରେ ଯାଇଥିଲେ । ନିରୀକ୍ଷଣ ବେଳେ ଜବତ ହୋଇଥିବା ୧୪୫୯ ପେଟ ମଦ ଗାଏବ ହୋଇଥିବା ଜଣାପଡ଼ିଥିଲା । ମାମଲାରେ ବାରମ୍ବାର ସମନ ପରେ ବି ଏସଏଚଓ ଇନ୍ଦ୍ରେଶପାଳ ସିଂହ ଓ ମୁଖ୍ୟ କିରାଣି ରସାଳ ସିଂହ ପକ୍ଷ ରଖିବା ପାଇଁ ଉପସ୍ଥିତ ହୋଇନଥିଲେ ।

ଜିଲ୍ଲା ଅଧିକାରୀ ଏହି ମାମଲାରେ ଏସଏଚଓ ଓ ମୁଖ୍ୟ କିରାଣିଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାପରେ ଉଭୟଙ୍କୁ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି । ଉଭୟଙ୍କ ବିରୋଧରେ ଆଇପିସିର ୪୦୯ ଧାରା (ସରକାରୀ କର୍ମଚାରୀ ହୋଇ ବିଶ୍ୱାସ ଭାଙ୍ଗିବା ଅପରାଧ) ସହ ଭ୍ରଷ୍ଟାଚାର ଆଇନ୍ ଲାଗିଛି ।

Leave a Reply