spot_img

Latest Posts

ରାଜଧାନୀରେ ରାଜୁତି କରିବା ପାଇଁ ସ୍ୱପ୍ନ ଦେଖୁଥିଲେ ଚତୁର ମହିଳା! କଳା କାରନାମାର ପର୍ଦ୍ଦାଫାଶ କଲା ପୋଲିସ

ରାଜଧାନୀରେ ରାଜୁତି କରିବା ପାଇଁ ସ୍ୱପ୍ନ ଦେଖୁଥିଲେ ଘୁଙ୍ଗୁରୁ ! ପତିଆରା ପାଇଁ ସବୁ ସୀମା ପାର କରିଦେଇଥିଲେ । BMW ରେ ବୁଲି ପୋଲିସକୁ ବୁଲାଉଥିଲେ ଭୁଆଁ । ଭଲକରି ନଜର ପକାନ୍ତୁ ଏହି ମହିଳାଙ୍କ ଉପରେ । ପୋଲିସ ତଦନ୍ତକୁ ବିଭ୍ରାନ୍ତ କରୁଥିବା ଇଏ ଜଣେ ଚତୁର ମହିଳା । ନାଁ ଘୁଙ୍ଗୁରୁ ମିଶ୍ର । ଘର ଭରତପୁର ଥାନା ଅଞ୍ଚଳରେ । ଗତ ୫ ଅକ୍ଟୋବର ଓ ସେପ୍ଟେମ୍ବର ୧୧ ରେ ଭରତପୁର ଥାନା ଅଞ୍ଚଳରେ ଘଟିଥିବା ଦୁଇଟି ଘଟଣାର ତଦନ୍ତ କରି କରିତକର୍ମା ମହିଳାଙ୍କ କଳା କାରନାମା ସମ୍ପର୍କରେ ବହୁତ କିଛି ଜାଣିବାକୁ ପାଇଛି ପୋଲିସ । ବନ୍ଧୁକ ଲାଇସେନ୍ସ ନେଇ ଲେଡି ଡନ ବନିବା ନିଶାରେ ଘର ମାଳିକାଣି ଘୁଙ୍ଗୁରୁ ନିଜ ଘର ଉପରେ କରିଥିଲେ ବୋମା ଓ ଗୁଳିମାଡ଼ । ମହିଳାଙ୍କ ଭାଣ୍ଡା ଫୋଡ ହେବା ପରେ ସେ ଏବେ ଫେରାର । ଅନ୍ୟ ୩ ଅଭିଯୁକ୍ତ ଦେବାଶିଷ ମହାପାତ୍ର, ସନ୍ତୋଷ ମହାକୁଡ଼ ଓ ଚନ୍ଦନ ନାୟକଙ୍କୁ ଗିରଫ କରିଛି ପୋଲିସ୍ । ତାଙ୍କ ନିକଟରୁ 7.65 ଏମ୍.ଏମ୍ ପିସ୍ତଲ ସହ ଗୁଳି ଜବତ କରାଯାଇଛି ।

ନିଜକୁ ହାଇପ୍ରୋଫାଇଲ ବୋଲି ପରିଚୟ ଦେଉଥିବା ଘୁଙ୍ଗୁରୁ ମୋଟା ଅଙ୍କର ଅର୍ଥ ଦେଇ ନିଜ ଘର ଉପରେ ବୋମାମାଡ଼ ଓ ଗୁଳିମାଡ଼ କରିଥିବା କହିଛନ୍ତି ପୋଲିସ କମିଶନର । ରାଜଧାନୀରେ ପତିଆରା ଜାହିର କରିବା ସହ ନିଜକୁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାଁ ନେଇ ଅନେକ ଲୋକଙ୍କୁ ବ୍ଲାକମେଲ କରିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ବନ୍ଧୁକ ଲାଇସେନ୍ସ ପାଇବା ପାଇଁ ଏହା ମଧ୍ୟ ତାଙ୍କର ଷଡଯନ୍ତ୍ର ବୋଲି କହିଛି ପୋଲିସ। ପୋଲିସର ତଦନ୍ତକୁ ବିଭ୍ରାନ୍ତ କରିବା, ସୁପାରୀ ଦେଇ ବୋମା ଓ ଗୁଳିମାଡ଼ କରିବା, ଅସ୍ତ୍ରଶସ୍ତ୍ର କାରବାର ଭଳି ସଙ୍ଗିନ ଦଫାରେ ମହିଳାଙ୍କ ବିରୋଧରେ କେସ ରୁଜୁ କରିଛି ଭରତପୁର ଥାନା ପୋଲିସ ।

Latest Posts

Don't Miss