କ୍ୟାପିଟାଲ ଥାନା ଝରଣାସାହି ହତ୍ୟା ଘଟଣା; ହତ୍ୟାକାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ

ଭୁବନେଶ୍ୱର: ଟ୍ରାଙ୍ଗୁଲାର ଲଭ ଷ୍ଟୋରିର ଦି ଏଣ୍ଡ । ମିଛ ପ୍ରେମରେ ପୋଲିସର ପୂର୍ଣ୍ଣଚ୍ଛେଦ। କ୍ୟାପିଟାଲ ଥାନା ଝରଣାସାହି ହତ୍ୟା ଘଟଣାରେ କମିଶନରେଟ ଜାଲରେ ପଡିଲା ଅଭିଯୁକ୍ତ। କେମିତି ମାରିଥିଲା, କ’ଣ ପାଇଁ ମାରିଥିଲା ତାର ଡେମୋ ମଧ୍ୟ ଦେଖାଇଛି। ଘଟଣାସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏସନ କରିଛି ପୋଲିସ।

ଖୋର୍ଦ୍ଧା ସାରୁଅରେ ଲୁଚିଥିଲା ଅଭିଯୁକ୍ତ ନନ୍ଦ କିଶୋର ଓଝା ବୋଲି କହିଛନ୍ତି ଡିସିପି । ପୋଲିସ କହିବା ମୁତାବକ, ମୃତ ମହିଳାଙ୍କ ସ୍ୱାମୀ କୁଞ୍ଜବିହାରୀ ବାପୁଜୀ ନଗରରେ ଏକ ମୋବାଇଲ ଦୋକାନ କରିବାକୁ ପ୍ଲାନ କରିଥିଲେ । ଅଭିଯୁକ୍ତ ଜଣଙ୍କ କାଠ ମିସ୍ତ୍ରୀ ହୋଇଥିବାରୁ କୁଞ୍ଜବିହାରୀଙ୍କ ଠାରୁ କାମ ନେଇଥିଲେ । ନିଜ ଘରେ କୁଞ୍ଜବିହାରୀ ତାଙ୍କୁ ରଖିଥିଲେ । ସେହିଠାରେ ରହି କାମ କରୁଥିଲା ଅଭିଯୁକ୍ତ। କିନ୍ତୁ ୨୦ ଦିନ ରହିବା ଭିତରେ କୁଞ୍ଜବିହାରୀଙ୍କ ପତ୍ନୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଗତ ୨୭ ତାରିଖରେ ମହିଳା ଜଣଙ୍କୁ ଅଭିଯୁକ୍ତ ଜଣଙ୍କ ପ୍ରେମ ନିବେଦନ କରିବା ସହ ବାହା ହେବାକୁ ବାଧ୍ୟ କରିଥିଲେ । ଏଥିରେ ରାଜି ନହେବାରୁ ଏକ ଧାରୁଆ ଅସ୍ତ୍ରରେ ମହିଳାଙ୍କ ତଣ୍ଟି କାଟି ଦେଇଥିଲା ଅଭିଯୁକ୍ତ। କଟକ ବଡ଼ ମେଡିକାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଆଜି ଅଭିଯୁକ୍ତକୁ ଖୋର୍ଦ୍ଧା ସାରୁଅରୁ ଗିରଫ କରାଯାଇଛି । ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।