ରାଜଧାନୀର ବିଭିନ୍ନ ବାର ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ, ବିପୁଳ ଜୋରିମାନା ଆଦାୟ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ବାର ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ । ଚଢ଼ାଉ କରିଛି କମିଶନରେଟ ପୋଲିସ । କୋଭିଡ୍ ନିୟମ ଉଲଂଘନ କରି ଚାଲିଥିଲେ ବାର ଓ ରେଷ୍ଟୁରାଣ୍ଟ । କ୍ୟାପିଟାଲ ଥାନା ଓ ଖାରବେଳ ନଗର ଥାନା ଅଂଚଳରେ ଥିବା ୮ ଟି ବାରରେ ଶନିବାର ରାତିରେ ପୋଲିସ ଚଢ଼ାଉ କରିଥିଲା ।
ବାରରେ ନିଶା ସେବନ କରୁଥିବା ପ୍ରାୟ ୭୨ ଜଣଙ୍କ ଠାରୁ ପୋଲିସ ୨୮ ହଜାର ଟଙ୍କା ଫାଇନ୍ ଆଦାୟ କରିଥିବା ଜଣାପଡ଼ିଛି । କେବଳ ଗ୍ରାହକ ନୁହଁନ୍ତି, ବାର ଓ ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କ ଠାରୁ ମଧ୍ୟ ଫାଇନ ଆଦାୟ କରାଯାଇଛି ।
ତେବେ କୋଭିଡ୍ ନିୟମ ଉଲଂଘନ କରିଥିବା ଏହି ବାର ଓ ରେଷ୍ଟୁରାଣ୍ଟ ଗୁଡ଼ିକୁ ସିଲ କରିବା ପାଇଁ ଅବକାରୀ ବିଭାଗକୁ ଚିଠି ଲେଖିବ କମିଶନରେଟ୍ ପୋଲିସ । ଏନେଇ ଖୋଦ୍ ପୋଲିସ ଅଧିକାରୀଙ୍କ ସୂଚନା ରହିଛି । ସେହିପରି ଲକ୍ଷ୍ମୀସାଗର, ଖଣ୍ଡଗିରି, ସହିଦନଗର, ଚନ୍ଦ୍ରଶେଖରପୁର, ଇନଫୋସିଟି ପ୍ରଭୃତି ଥାନା ଅଂଚଳରେ ଥିବା ବାରରେ ପୋଲିସ ଶନିବାର ରାତିରେ ରେଡ୍ କରିଛି । ରେଡ୍ ବେଳେ ବିପୁଳ ପରିମାଣର ଜୋରିମାନା ଆଦାୟ ମଧ୍ୟ କରିଛି ।