ଡାକ୍ତର ନଥିବାରୁ ଫେରାଇ ଦେଲା ମେଡିକାଲ : ବ୍ୟାଣ୍ଡେଜ୍ ବାନ୍ଧି ଘରକୁ ପଠାଇଲେ ପୋଲିସ କର୍ମଚାରୀ

ବଲାଙ୍ଗୀର: ପୋଲିସ କର୍ମଚାରୀଙ୍କ ବଦାନ୍ୟତା । ଗତ କିଛି ଦିନ ତଳେ ବଲାଙ୍ଗୀର ସହରରେ ଦୁର୍ଘଟଣାଗ୍ରସ୍ତ ଲୋକ ଓ କରୋନା ସଂକ୍ରମିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚର୍ଚ୍ଚାକୁ ଆସିଥିବା ବଲାଙ୍ଗୀର ପୋଲିସର ପୁଣି ଏକ ମାନବିକତା କାର୍ଯ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଗତ ସନ୍ଧ୍ୟାରେ ଲକଡାଉନ ସମୟରେ ଜଣେ ଯୁବତୀ କୌଣସି ଜରୁରୀକାଳୀନ କାମରେ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ଦୁର୍ଘଟଣାରେ ଯୁବତୀର ହାତରେ ଆଘାତ ଲାଗିଥିବା ବେଳେ ସେ ଭୀଷଣକଷ୍ଟ ପାଉଥିଲେ ।  ତେବେ ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ ଥିବା ବେଳେ କର୍ମଚାରୀମାନେ ତାଙ୍କୁ କିଛି ଔଷଧ ଦେଇ ସକାଳେ ଆସିବା ପାଇଁ କହିଥିଲେ । ତେବେ ତୁଷୁରା ଥାନା ନିକଟରେ ଡ୍ୟୁଟି କରୁଥିବା ପୋଲିସ ଏଏସଆଇ ମୁନା ପାଢ଼ୀ ଯୁବତୀଙ୍କୁ ଜରୁରୀକାଳୀନ ଚିକିତ୍ସା କରିବା ସହ ଭାଙ୍ଗିଥିବା ହାତକୁ ବ୍ୟାଣ୍ଡେଜ୍ କରି ଘରକୁ ପଠାଇଥିଲେ । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବ ପୋଲିସ ଅଧିକାରୀ ମୁନା ପାଢ଼ୀଙ୍କ ମହାନତା ଯୋଗୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଛୁଟୁଛି । ବରିଷ୍ଠ ପୋଲିସ ଅଧିକାରୀ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Leave a Reply