spot_img

Latest Posts

କୋଭିଡ କଣ୍ଟ୍ରୋଲ ରୁମ୍‌ରୁ କ୍ରାଇମ୍: ପ୍ରଥମେ ପ୍ରେମ ନିବେଦନ, ନମାନିବାରୁ ଧମକ

ଭୁବନେଶ୍ୱର: ପୁଣି ଖାକିରେ ଦାଗ । ଅଭିଯୋଗ ଆସିଛି କମିଶନରେଟ୍‌ ପୋଲିସର ଜନୈକ ଅଧିକାରୀଙ୍କ ବିରୋଧରେ । କ୍ଷମତାର ଅପବ୍ୟବହାର କରି ବିବାହିତାଙ୍କୁ କରୁଛନ୍ତି ପ୍ରେମ ନିବେଦନ । ପ୍ରତିବାଦ କଲେ ସରକାରୀ କଣ୍ଟ୍ରୋଲ ରୁମ୍‌ ଫୋନ୍‌ରେ ଦିଆଯାଉଛି ଧମକ । କଟକରେ ନିରାଶ ହେବା ପରେ ଅତିଷ୍ଠ ବିବାହିତା ଜଣକ ନ୍ୟାୟ ପାଇଁ ଭୁବନେଶ୍ୱର ମହିଳା ଥାନାର ଦ୍ଵାରସ୍ଥ ।

ପଦବୀ ସିନା ଏ.ଏସ୍‌.ଆଇ, ହେଲେ ଦବଙ୍ଗଗିରି ଦେଖାଇବାରେ ଝୋଙ୍କ ବେଶ୍‌ ତାଙ୍କର । ଲୋକଙ୍କୁ ପରାମର୍ଶ ଦେବା ପାଇଁ ଦାୟତ୍ୱ ମିଳିଛି ପୋଲିସ କୋଭିଡ୍‌ ନିୟନ୍ତ୍ରଣ କକ୍ଷରେ । ହେଲେ ଏହାର ସୁଯୋଗ ନେଇ ସେ ମହିଳାଙ୍କୁ କରୁଛନ୍ତି ଅସଦାଚରଣ ଓ ପ୍ରତିବାଦ କଲେ ଦେଉଛନ୍ତି ଧମକ। ଏଭଳି ଗୁରୁତର ଅଭିଯୋଗ ଆସିଛି ପୋଲିସ କଣ୍ଟ୍ରୋଲ ରୁମ୍‌ରେ ନିୟୋଜିତ ଏ.ଏସ୍‌.ଆଇ ସୁବ୍ରତ ଜ୍ଞାନ ରଞ୍ଜନଙ୍କ ବିରୋଧରେ ।

ଫେସ୍‌ବୁକ୍‌ରେ ଚାଟ୍‌ ଜରିଆରେ ପ୍ରଥମେ କରିଥିଲା ବନ୍ଧୁତା ପାଇଁ ଉଦ୍ୟମ । କିଛି ଦିନପରେ ବିବାହିତା ମହିଳାଙ୍କୁ କରିଥିଲା ପ୍ରେମ ନିବେଦନ । ପ୍ରତିବାଦ କରିବାରୁ ବିବାହିତାଙ୍କୁ ଦେଲା ଧମକ । ଅତିଷ୍ଠ ମହିଳା ଜଣକ ବାଧ୍ୟ ହୋଇ କଟକରେ ୨ଟି ଥାନାରେ କରିଥିଲେ ଅଭିଯୋଗ । ହେଲାନି କୈାଣସି କାର୍ଯ୍ୟାନୁଷ୍ଠାନ । ଫଳରେ ବଢ଼ିଲା ସାହାସ ଆଉ ଅସଦାଚରଣର ମାତ୍ରା । ଏବେ ନ୍ୟାୟ ଆଶାରେ ବିବାହିତା ଜଣକ ସାହାସ ଜୁଟାଇ ଆସିଛନ୍ତି ଭୁବନେଶ୍ୱର ।

ମହିଳା ଥାନାରେ ଲିଖିତ ଏତଲା ଦେବା ସହିତ ମୁହଁ ଖୋଲିଛନ୍ତି ତାଙ୍କୁ ଅସଦାଚରଣ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ପୋଲିସ ବିଭାଗରେ ଚାକିରି ଏଣୁ ସବୁ ତରିକା ଜାଣନ୍ତି ସେ ।

କେବଳ ବିବାହିତାଙ୍କୁ ନୁହଁ ବରଂ ତାଙ୍କ ଫେସବୁକ୍ ଆଇଡିକୁ ଟ୍ରାକିଂ କରି ତାଙ୍କ ସମ୍ପର୍କୀୟ ଓ ବନ୍ଧୁଙ୍କୁ ମଧ୍ୟ ସେ ଦେଉଛନ୍ତି ଧମକ। ପୋଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଥିବାରୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ବିବାହିତା ଜଣକ । ଏବେ ନ୍ୟାୟ ନମିଳିଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରସ୍ଥ ହେବା ନେଇ କହିଛନ୍ତି ଅଭିଯୋଗକାରିଣୀ

ପୂର୍ବରୁ ୧୦୪ କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ୟରତ ଯୁବତୀଙ୍କୁ ଫେକ୍‌ କଲ ଜରିଆରେ ଅସଦାଚରଣର ଅଭିଯୋଗ ହୋଇଥିଲା। ଏବେ କିନ୍ତୁ ଖୋଦ୍‌ ପୋଲିସର କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ରୁ ବିବାହିତାଙ୍କୁ ପ୍ରେମ ନିବେଦନ ସହିତ ଧମକ ଭଳି ଗୁରୁତର ଅଭିଯୋଗ ଆସିଛି ।

Latest Posts

Don't Miss