ମୃତ୍ୟୁମୁଖରୁ ଜୀବନ ଛଡ଼ାଇ ଆଣିଲେ ଥାନା ଅଧିକାରୀ

କଟକ : ମୃତ୍ୟୁମୁଖରୁ ଜୀବନ ଛଡ଼ାଇ ଆଣିଲେ ଥାନା ଅଧିକାରୀ । କଟକ ଜଗତପୁର ଥାନା ଅଧିକାରୀଙ୍କ ସାହାସିକତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗତକାଲି ବିଳମ୍ବିତ ରାତିରେ ଯୋବ୍ରା ପାରେଶ୍ବର ସାହିର ଜଣେ ଯୁବତୀ କୌଣସି କାରଣରୁ ଯୋବ୍ରା ଆନିକଟର ଓ୍ବାଟର ରିଜର୍ଭର ପ୍ରାୟ ୨୫ଫୁଟ ତଳକୁ ଗଳିପଡିଥିଲେ । ଯୁବତୀ ଜଣଙ୍କ ଜୀବନ ରକ୍ଷା ପାଇଁ ଚିତ୍କାର କରୁଥିଲେ ।

ପ୍ରଥମେ ଯୋବ୍ରାର ୨ରୁ ୩ ଜଣ ଜଣ ଯୁବକ ଏହା ଦେଖିଥିଲେ ମଧ୍ୟ ଯୁବତୀଙ୍କୁ ବଞ୍ଚାଇବା ପାଇଁ ସାହସ କରିପାରିନଥିଲେ । ଠିକ ଏହି ସମୟରେ ନାଇଟ ପାଟ୍ରୋଲିଂରେ ଥିବା ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେର ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ବଞ୍ଚାଇବାକୁ ଅଭିଯାନ ଆରମ୍ଭ କରିଥିଲେ ।

ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ଯୋବ୍ରାର ୩ ଜଣ ଧୀବରଙ୍କ ସହିତ ସେ ରିଜର୍ଭର ଭିତରକୁ ଯାଇ ଯୁବତୀଙ୍କୁ ଉଦ୍ଧାର କରି ଏସସିବି ପଠାଇଥିଲେ । ଥାନା ଅଧିକାରୀଙ୍କ ଏହି ସାହାସିକତା ପାଇଁ ଯୁବତୀଙ୍କ ଜୀବନ ରକ୍ଷା ହୋଇପାରିଛି । ତେବେ ଯୁବତୀ ଜଣକ ରିଜର୍ଭରର ୨୫ଫୁଟ ତଳକୁ କେମିତି ଖସିପଡିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।