ମାତିଛନ୍ତି ମଦ ମାଫିଆ: ମଦ କାରବାର ବନ୍ଦ ପାଇଁ ଯାଇଥିବା ବେଳେ ପୋଲିସ ଅଧିକାରୀଙ୍କୁ ତୀର ମାଡ଼

ସୁନ୍ଦରଗଡ଼: ମଦ କାରବାର ବନ୍ଦ କରିବାକୁ ଯାଇ ପୋଲିସ ଅଧିକାରୀଙ୍କ ଉପରେ ଆକ୍ରମଣ। ଲୁଚି ତୀର ମାରିଲେ ମଦ କାରବାରରେ ଲିପ୍ତ ଥିବା ବ୍ୟକ୍ତି। ତୀର ମାଡ଼ରେ ଆହତ ହୋଇଛନ୍ତି ଫାଣ୍ଡି ଅଧିକାରୀ। ପୋଲିସ ଅଧିକାରୀଙ୍କ ଦେହର ଦୁଇଟି ସ୍ଥାନରେ ତୀର ବାଜିଛି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଟେନ୍ସା ଫାଣ୍ଡି ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ଚୋରା ମଦ କାରବାର ଉପରେ ରେଡ୍ ପାଇଁ ଯାଇଥିବା ବେଳେ, ତୀରମାଡ଼ରେ ଟେନ୍ସା ଫାଣ୍ଡି ଅଧିକାରୀ ଅଶୋକ ବେହେରା ଗୁରୁତର ହୋଇଛନ୍ତି।
ଅଶୋକଙ୍କ ଛାତି ଓ ପେଟରେ ତୀର ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ବଣେଇ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ହସପିଟାଲରେ ରାଉରକେଲା ଏସପି ମୁକେଶ କୁମାର ଭାମୁଙ୍କ ସହିତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ଅଶୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ତେବେ ଅଶୋକଙ୍କ ଚିକିତ୍ସାରେ ବରିଷ୍ଠ ଡାକ୍ତରୀ ଦଳ ଲାଗିଥିବା ସୂଚନା ରହିଛି। ୪ ଜଣିଆ ଡାକ୍ତରୀ ଦଳ ତାଙ୍କର ଅସ୍ତ୍ରୋପଚାର କରି ଦୁଇଟି ତୀରକୁ ବାହାର କରିଦେଇଛନ୍ତି। ତେବେ ଯେଉଁମାନେ ଏଥିରେ ସମ୍ପୃକ୍ତ ରହିଛନ୍ତି ସେମାନେ ଏବେ ଫେରାର ରହିଛନ୍ତି।