ରସିକିଆ ପୋଲିସ କର୍ମଚାରୀଙ୍କ ଯୋଗୁଁ ଭାଙ୍ଗିଲା ୧୭ ବର୍ଷର ସମ୍ପର୍କ

କେନ୍ଦ୍ରାପଡା: ରସିକିଆ ପୋଲିସ କର୍ମଚାରୀଙ୍କ ଯୋଗୁଁ ଭାଙ୍ଗିଲା ସୁନାର ସଂସାର । ୧୭ ବର୍ଷର ବୈବାହିକ ଜୀବନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ପରକୀୟା ପ୍ରୀତି ପାଇଁ ପରପୁରୁଷ ସହ ପଳାଇଯିବା ପରେ ଶାଶୂଘରୁ ନିଜ ଝିଅକୁ ଅପହରଣ ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରୁ ଏହି ଅଭିଯୋଗ ଆସିଛି । ପାଟକୁରା ଥାନାରେ କାର୍ଯ୍ୟରତ ଥିବା ବେଳେ ଜଣେ ପୋଲିସ କର୍ମଚାରୀଙ୍କ ସହ ଥାନା ପାଖରେ ରହୁଥିବା ଜଣେ ମହିଳାଙ୍କର ଆପତ୍ତିଜନକ ସମ୍ପର୍କ ଗଢ଼ି ଉଠିଥିଲା।

ପୋଲିସ କର୍ମଚାରୀଙ୍କର ପଟ୍ଟାମୁଣ୍ଡାଇ ଥାନାକୁ ବଦଳି ହେବା ପରେ ଦେଢ଼ବର୍ଷ ତଳେ ସେ ସମ୍ପୃକ୍ତ ମହିଳାଙ୍କୁ ନେଇ ଯାଇଥିଲେ । ମହିଳା ମଧ୍ୟ ନିଜ ସତର ବର୍ଷର ବୈବାହିକ ଜୀବନ ଓ ଦୁଇ ନାବାଳକ ନାବାଳିକା ପୁଅଝିଅଙ୍କୁ ଛାଡ଼ି ପରାକୀୟା ପ୍ରୀତିରେ ଅନ୍ଧ ହୋଇ ପୋଲିସ କର୍ମଚାରୀଙ୍କ ସହ ପଳାଇଥିଲେ । କିଛି ଦିନ ତଳେ ମହିଳା ପୁଣି ଶାଶୂଘରକୁ ଆସିଥିଲେ । ହେଲେ ପରପୁରୁଷ ସହ ଦୀର୍ଘଦିନ ବିତାଇ ଥିବା ସ୍ତ୍ରୀକୁ ସ୍ୱାମୀ ଓ ଶ୍ବଶୁର ଘରେ ରଖିବାକୁ ରାଜି ହେଲେ ନାହିଁ ।

ଫଳରେ ମହିଳା ରାଗିଯାଇ ନିଜ ନାବାଳିକା ଝିଅକୁ ଶାଶୂଘରୁ ଅପହରଣ କରିବାକୁ ଯୋଜନା କରିଥିଲେ। ଗତ ୧୫ ତାରିଖ ଦିନ ତାଙ୍କ ନାବାଳିକା ଝିଅ ସ୍କୁଲ ଯିବା ବାଟରୁ ପୋଲିସ କର୍ମଚାରୀ ଓ ମହିଳା ଝିଅକୁ ଅପହରଣ କରି ନେଇଥିବା ପାଟକୁରା ଥାନାରେ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ୧୦ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏନେଇ ପାଟକୁରା ଥାନା ପୋଲିସର ପ୍ରତିକ୍ରିୟା ମିଳିନାହିଁ ।