ପୋଲିସର ଦବଙ୍ଗଗିରି : ରାତି ଅଧରେ ଫାର୍ମ ହାଉସରେ ପଶି କଲେ ଦାଦାଗିରି

ନନ୍ଦିଘୋଷ ବ୍ୟୁରୋ : ପୋଲିସର ଦବଙ୍ଗଗିରି । ରାତି ଅଧରେ ଆସିଲେ । ଫାର୍ମ ହାଉସରେ ପଶିଲେ । ସାଙ୍ଗରେ ଥିବା ସହଯୋଗୀ ଧରିଥିଲେ ଶାବଳ ଆଉ ମୋଡି ଦେଲେ ସିସିଟିଭି । ଏଭଳି ଘଟଣା ଘଟାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାର ଏଏସଆଇ । ଯାହା କଏଦ ହୋଇଛି ସିସିଟିଭିରେ । ବୁଧବାର ରାତି ୨ ଟା ସମୟରେ ଖୁଣ୍ଟା ଥାନା ଏଏସଆଇ ଛବିଳ ପ୍ରଧାନ ଅନ୍ୟ ଜଣେ ପୋଲିସ କର୍ମଚାରୀ ଏବଂ ଦୁଇ ଜଣ ଯୁବକଙ୍କ ସହିତ ଉଦଳା ଥାନା ରଙ୍ଗାମାଟିଆ ଠାରେ ଥିବା ବୁନେସ କୁମାର ପରିଛାଙ୍କ ଫାର୍ମ ହାଉସରେ ପଶିଥିଲେ। ଫାର୍ମ ହାଉସରେ ପଶି ବୁନେସ ପରିଛାଙ୍କୁ ଖୋଜି ଏକ ଘର କବାଟ ବାଡେଇଥିଲେ ଏବଂ ସେଠାରୁ ବୁନେସଙ୍କ କର୍ମଚାରୀଙ୍କୁ ବାହାର କରିଥିଲେ । ଏହା ପରେ ପୋଲିସ ସାଙ୍ଗରେ ଥିବା ଦୁଇ ଯୁବକ ଏକ ଶାବଳ ଧରି ଫାର୍ମ ହାଉସ ଭିତରେ ବୁଲି ବୁନେସଙ୍କୁ ଖୋଜିଥିଲେ । ଖୋଜିବା ସମୟରେ ଫାର୍ମ ହାଉସରେ ସିସିଟିଭି ଲାଗିଥିବା ଦେଖି ତାକୁ ମୋଡି ଦେଇଥିଲେ ପୋଲିସ କର୍ମଚାରୀ । ଯାହା ସିସିଟିଭିରେ କଏଦ ହୋଇଛି । ଦୀର୍ଘ ସମୟ ଧରି ଫାର୍ମ ହାଉସରେ ରହିବା ପରେ ଉଭୟ ବୁନେସ ଏବଂ ତାଙ୍କ କର୍ମଚାରୀଙ୍କୁ ଥାନାକୁ ନେଇ ଯାଇଥିଲା ପୋଲିସ । ହେଲେ ବୁନେସଙ୍କ ନାଁରେ କୌଣସି କେଶ ନଥିଲା । ଜଣେ ବ୍ୟକ୍ତିଙ୍କ ନିକଟରୁ ସେ ଆଣିଥିବା ସାମଗ୍ରୀର ଟଙ୍କା ଦେଇ ନଥିବାରୁ ତାଙ୍କୁ ଥାନାକୁ ପୋଲିସ ନେଇଥିଲା । ହେଲେ ଆପୋଷ ଆଲୋଚନା ପରେ ବୁନେସ ଥାନାରୁ ଫେରିଥିଲେ । କିନ୍ତୁ ପୋଲିସ ଏଏସଆଇ ବିନା କେଶରେ ଜଣେ କୁଖ୍ୟାତ ଅପରାଧୀ ଭଳି ବୁନେସଙ୍କୁ ବ୍ୟବହାର କରିବା । ରାତିରେ ଫାର୍ମ ହାଉସରେ ଶାବଳ ନେଇ ପଶିବା। ସିସିଟିଭି ମୋଡି ଦେବା ଓ ବୁନେସଙ୍କ କର୍ମଚାରୀଙ୍କୁ ପୋଲିସ ମାଡ଼ ମାରିଥିବା ଭଳି ସାଙ୍ଘାତିକ ଅଭିଯୋଗ ନେଇ ଏସପିଙ୍କୁ ଜଣାଇଛନ୍ତି ବୁନେସ ।