ବ୍ରହ୍ମପୁର ଆଇନଜୀବୀ ହତ୍ୟା ମାମଲା: ପୀତବାସଙ୍କ ଗୁପ୍ତ ଡାଏରୀର ସନ୍ଧାନ କଲା ପୋଲିସ

ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ଏବେ ପୀତବାସଙ୍କ ଗୁପ୍ତ ଡାଏରୀର ସନ୍ଧାନ କରିଛି ପୋଲିସ। ପୀତବାସଙ୍କ ଗୁପ୍ତ ଡାଏରୀର ସନ୍ଧାନ ମିଳିଛି। ଡାଏରୀରୁ ବହୁ ତଥ୍ୟ ସହ ଅନେକ ଗୁମର ଫିଟିବ ବୋଲି ଆଲୋଚନା ହେଉଛି। ମିଳିଥିବା ଡାଏରୀରେ କ୍ରସର ବ୍ୟବସାୟୀ, ମଦବେପାରୀ, ବିଲଡରଙ୍କ ସମେତ ସ‌ହରର ବହୁ ବ୍ୟବସାୟୀ ଓ ନେତାଙ୍କ ନାମ ଉଲ୍ଲେଖ ଥିବା କୁହାଯାଉଛି । ପୀତବାସ କାହାଠାରୁ ସୁଧରେ ଟଙ୍କା ଆଣିଛନ୍ତି ଅଥବା କାହାକୁ ଟଙ୍କା ଦେଇଛନ୍ତି, ସେଥିରେ ଉଲ୍ଲେଖ ଥିବା କୁହାଯାଉଛି  । ବଡ଼କଥା ହେଲା, ପୀତବାସ ହଜାର କିମ୍ବା ଲକ୍ଷରେ ନୁହେଁ, ବରଂ କୋଟି କୋଟି ଟଙ୍କାର ସୁଧ କାରବାର କରୁଥିବା ନେଇ ଆଲୋଚନା ହେଉଥିବା ବେଳେ ସେସବୁ ତଥ୍ୟ ଡାଏରୀରେ ଅଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର  । ପୀତବାସଙ୍କ ଜଣେ ଘନିଷ୍ଠ ବନ୍ଧୁ ତାଙ୍କଠାରୁ ପ୍ରାୟ ୮୦ ଲକ୍ଷରୁ ଅଧିକ ଟଙ୍କା ନେଇ କୌଣସି କାରଣରୁ ଦୀର୍ଘ ଦିନ ଧରି କୁଆଡ଼େ ଫେରାଇ ନଥିଲେ। ଋଣ ଅର୍ଥ ପରିଶୋଧ ପାଇଁ ସମ୍ପୃକ୍ତ ବନ୍ଧୁଜଣଙ୍କ ସହରରେ ଥିବା ନିଜର ଏକ ଘରକୁ ପୀତବାସଙ୍କୁ ବିକ୍ରି କରିଦେଇଥିବା କୁହାଯାଉଛି। ଘର ବିକ୍ରି ପରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଜଣଙ୍କ ଆହୁରି ୩୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ପୀତବାସଙ୍କୁ ଫେରାଇବାକୁ ଅଛି ବୋଲି ଶୁଣିବାକୁ ମିଳିଛି।

ସେହିପରି, ପୀତବାସ ଅନେକ ବ୍ୟବସାୟୀଙ୍କଠାରୁ ଟଙ୍କା ଉଠାଇଥିବା କୁହାଯାଉଛି । ବଜାରରେ ପଡ଼ିଥିବା କୋଟିକୋଟି ଟଙ୍କା କିଭଳି ଆଦାୟ ହେବ, ତାହା ଏବେ ବଡ଼ ପ୍ରଶ୍ନବାଚୀ କାରଣ ସେଥିରେ ପୀତବାସଙ୍କର ନିଜର ଓ ଅନ୍ୟମାନଙ୍କର ମଧ୍ୟ ଟଙ୍କା ଥିବା ଚର୍ଚ୍ଚା ହେଉଛି। ୧୦ ଦିନ ପରେ ବି ହତ୍ୟାର ହୋଇପାରିନି ଖୁଲାସା। ଦୁଇ ସୁପାରୀ କିଲର ପୂର୍ବରୁ ବି କିଛି ମାମଲାରେ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି। ସୁରାକ୍ ଯୋଗାଡ଼ କରିବା ଆଶାରେ ବ୍ରହ୍ମପୁର ପୋଲିସ ଏବେ ଜେଲ୍‌ମୁହାଁ ହୋଇଛି। ବ୍ରହ୍ମପୁର ସମେତ କେନ୍ଦ୍ରାପଡ଼ା ଓ ରାଜ୍ୟର ବିଭିନ୍ନ ଜେଲ୍‌ରେ ଅପରାଧୀଙ୍କ କୁଣ୍ଡଳୀ ଯାଞ୍ଚ କରୁଛି । ସଂପୃକ୍ତ ଆତତାୟୀଙ୍କୁ ଚିହ୍ନଟ କରି ସେମାନଙ୍କ ଠିକଣା ଜାଣିବାକୁ ପୋଲିସ ବିଭିନ୍ନ ଜେଲରେ ଡେରା ପକାଇଥିବା ସୂଚନା ମିଳିଛି ।