କୋଭିଡ୍ ଡ୍ୟୁଟି କରୁଥିବା ଡାକ୍ତରଙ୍କ ମୃତଦେହ ହୋଟେଲ ରୁମରୁ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ତିଆ ନିକଟର ଏକ ହୋଟେଲରୁ ଜଣେ ଡାକ୍ତରଙ୍କ ମୃତଦେହ ମିଳିଛି । ମୃତ ଡାକ୍ତର ଜଣଙ୍କ ରାଙ୍କି ସ୍ଥିତ କୋଭିଡ୍ ଡାକ୍ତରଖାନାରେ କାର୍ଯ୍ୟ କରୁଥିଲେ । ସେ ହୋଟେଲର ୩୦୬ ନମ୍ବର ରୁମରେ ରହୁଥିଲେ । ସେହି ରୁମରୁ ଡାକ୍ତରଙ୍କ ମୃତଦେହ ମିଳିଛି । ମୃତ ଡାକ୍ତର ଜଣଙ୍କ ଆଶା ଚରଣ ମାଝି । ତାଙ୍କ ଘର ବହଳଦା ଜାମଦା ଗାଁରେ ।
ସୂଚନା ଅନୁସାରେ ଡାକ୍ତର ଜଣଙ୍କ ହୋଟେଲ ରୁମରେ ସକାଳୁ କବାଟ ଖୋଲା ରଖି ଶୋଇଥିଲେ । ହୋଟେଲ କର୍ମଚାରୀ ବାରମ୍ବାର ଡାକିବା ସତ୍ତ୍ୱେ ବି ସେ ଉଠିନଥିଲେ । ଫଳରେ ହୋଟେଲ ମାଲିକ ଟାଉନ୍ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଦେଖିବା ବେଳକୁ ଡାକ୍ତର ଶ୍ରୀ ମାଝିଙ୍କ ମୃତ୍ୟୁ ହୋଇ ସାରିଥିଲା ।
ଏନେଇ ଟାଉନ୍ ପୋଲିସ ଥାନା କେସ ନମ୍ବର ୧୩୫/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଡାକ୍ତରଙ୍କ ମୃତଦେହ ଜିଲ୍ଲା ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଏବେ ବି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।