ଲକଡାଉନ୍ ଅମାନିଆଙ୍କୁ ନାହିଁ ନିସ୍ତାର, ଫାଇନ୍ କାଟି ମାସ୍କ ପିନ୍ଧାଇଲା ପୋଲିସ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି । ଦିନକୁ ଦିନ ଏହି ମହାମାରୀ ବ୍ୟାପିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଶାସନ ମାସ୍କ ବାଣ୍ଟିବାଠୁ ଆରମ୍ଭ କରି ପ୍ରତ୍ୟେକ ଅଞ୍ଚଳ ସାନିଟାଇଜ୍ କରୁଛି । ୧୦ ପ୍ରତିଶତ ଅମାନିଆଙ୍କୁ ଛାଡ଼ି ଦେଲେ ୯୦ ପ୍ରତିଶତ ଲୋକ ସଚେତନ ହୋଇ ଘରେ ରହୁଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ସହ ଲୋକେ ଲକଡାଉନ୍ ପାଳନ କରୁଛନ୍ତି । କିଛି ଅମାନିଆ ବିନା ମାସ୍କରେ ବୁଲୁଥିବାରୁ ଫାଇନ୍ ଆଦାୟ ଆରମ୍ଭ ହୋଇଛି ।

ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସର ଚେକିଂ ଜାରି ରହିଛି । ସରକାରୀ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ପୋଲିସ ଫାଇନ୍ ଆଦାୟ କରିଛି । ଚେକିଂ ବେଳେ ୩୦ରୁ ଅଧିକ ଲୋକେ ବିନା ମାସ୍କରେ ବାହରକୁ ବାହାରିଥିଲେ । ସେମାନଙ୍କୁ ପୋଲିସ ଉଚିତ୍ ଶିକ୍ଷା ଦେଇଛି । ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୨୦୦ ଟଙ୍କା ଜରିମାନା ଆଦାୟ କରିବା ସହ ମାସ୍କ ପିନ୍ଧାଇଛି ପୋଲିସ ।

ଅପରପକ୍ଷରେ ପରିବା ଓ ଆମିଷ କିଣିବା ପାଇଁ ରାଜଧାନୀର ୪ ନମ୍ବର ହାଟରେ ଲୋକେ ଭିଡ଼ ଜମାଇଥିଲେ । ମାଛ କିଲୋ ୨୫୦ ଟଙ୍କା ଥିବା ବେଳେ ବାଇକ ନେଇ ଆସିଥିବା ଲୋକେ ୫୦୦ ଟଙ୍କା ଫାଇନ ଦେଇଛନ୍ତି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ୫୦ରୁ ଅଧିକ ବାଇକ ପୋଲିସ ଜବତ କରିଛି । ବିଭିନ୍ନ ଥାନା ଅଞ୍ଚଳରେ ପୋଲିସର କଡାକଡି ଚେକିଂ ଚାଲିଛି । ସରକାରୀ ନିୟମ ଉଲ୍ଲଂଘନ ଅଭିଯୋଗରେ ଲୋକଙ୍କଠାରୁ ଫାଇନ କାଟୁଛି ପୋଲିସ ।

Leave a Reply