ବିଧାନସଭା ଅଧିବେଶନ ବେଳେ ପ୍ରମାଣ ଦେଲା ଖାକି ବାହିନୀ,ବର୍ଷିଲେ କଂଗ୍ରେସ ଓ ବିଜେଡି

ନନ୍ଦିଘୋଷ ବ୍ୟୁରୋ : ବିରୋଧୀ ବିଧାୟକଙ୍କୁ ଦମନ କରିବାକୁ ସାହସ ଜୁଟାଇ ପାରୁଛି ପୋଲିସ । ହେଲେ ରାଜ୍ୟର ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ଫେଲ୍। ଏଥର ବିଧାନସଭା ଅଧିବେଶନ ବେଳେ ଗୁଣ୍ଡା ସାଜି ପ୍ରମାଣ କରିଦେଲା ପୋଲିସ। ବିଧାନସଭା ବାହାରେ କଂଗ୍ରେସ ସଦସ୍ୟଙ୍କୁ ଦମନ କରିବାକୁ ଯାଇ ପ୍ରବେଶ ପଥରେ ବଳ ଲଗାଇ ଅଟକାଇଲା। ଆନ୍ଦୋଳନରତ କଂଗ୍ରେସ କର୍ମୀଙ୍କୁ କଲା ଲହୁଲୁହାଣ। ବିଜେଡି ସଦସ୍ୟଙ୍କୁ ଗେଟ୍ ଭିତରେ ବନ୍ଦୀ ରଖି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କଲା ଖାକି ବାହିନୀ।

ପୋଲିସ ସବୁ କିଛି କରିପାରୁଛି, କିନ୍ତୁ ଆଇନଶୃଙ୍ଖଳା ରକ୍ଷା କରିବାରେ ମାରୁଛି ଫେଲ୍।। ପରିସ୍ଥିତି ଏପରି ହେଲାଣି ଯେ ପୋଲିସ ପ୍ରତି ଲୋକଙ୍କ ଭୟ ରହୁନି। ଯେଉଁଥି ପାଇଁ ଗତକାଲି ଭୁବନେଶ୍ବରର ଭରତପୁର ଓ ଯାଜପୁର ଜିଲ୍ଲା କୋରେଇରେ ପୋଲିସକୁ ଆକ୍ରମଣର ଶିକାର ହେବାକୁ ପଡ଼ିଲା। ବିରୋଧୀଙ୍କ କହିବା କଥା, ସରକାରୀ ଦଳର ଚାପରେ ସ୍ବାଧୀନ ଭାବେ କାମ କରିପାରୁନି ପୋଲିସ। ବିରୋଧୀ ଦଳଙ୍କୁ ଦମନ କରିବାରେ ପୋଲିସ ଏତେ ବ୍ୟସ୍ତ ରହୁଛି ଯେ ଅପରାଧ ନିୟନ୍ତ୍ରଣ ପାଇଁ ସମୟ ମିଳୁନି କହି କଟାକ୍ଷ କରିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ ବିଭାଗର ଦାୟିତ୍ବ । ହେଲେ ତାକୁ ସେ ସଠିକ୍ ଭାବେ ନିର୍ବାହ କରିପାରୁନଥିବାରୁ ପୋଲିସ ବି ଅପରାଧରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି ବିରୋଧୀ।

ସେପଟେ ପୁଣି ଥରେ ସରକାରଙ୍କ ଓକିଲ ସାଜିଲା ବିଜେପି । ଚିରାଚିରିତ ଭାବେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ କରି ଚାଲିଛନ୍ତି ପ୍ରୟାସ। ସେହିପରି କଂଗ୍ରେସର ଆନ୍ଦୋଳନ ପରେ ପୋଲିସ ମହାନିର୍ଦ୍ଦେଶକ ଯେପରି ରାଜନୈତିକ ଷ୍ଟାଇଲରେ ବିବୃତି ରଖିଲେ, ତାହା ପୋଲିସ ଉପରେ ସରକାରଙ୍କ ଚାପକୁ ସ୍ପଷ୍ଟ କରିଥିବା ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି । ହେଲେ ଆଇନ ଶୃଙ୍ଖଳା ନୟନ୍ତ୍ରଣରେ ଡିଜିପି କଣ କରିବେ, ସେ ନେଇ ପ୍ରଶ୍ନ ଉଠିଛି।

ଗତ ୮ ମାସରେ ୧୮ ହଜାର ୧ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି । ସେଥିରୁ ୧୭ ହଜାର ୨୧ଟି ମାମଲା ବିଚାରଧୀନ ଥିବା ବେଳେ, ୭୩୮ଟି ମାମଲାରେ ଚାର୍ଜସିଟ ଦିଆଯାଇଛି। ୨୧୭ଟି ମାମଲାର ଫଇସଲା ସରିଥିବା ବେଳେ, ୨୫ଟି ମାମଲାରେ ଫାଇନାଲ ରିପୋର୍ଟ ପ୍ରଦାନ କରାଯାଇଛି । ସେହିପରି ୨୦୨୫ ଜାନୁଆରୀ ଥିଲା ଅପରାଧର ମାସ । କେବଳ ଏହି ଗୋଟାଏ ମାସରେ ୧୧୧ଟି ହତ୍ୟା, ୨୦ ଡକାୟତି, ୧୫୦୯ ଚୋରି, ୧୦୧ ଦଙ୍ଗା, ୧୯୪ ସାଇବର ଅପରାଧ, ୬୫୫ ଅସଦାଚରଣ, ୭୯ ଯୌନ ନିର୍ଯାତନା ଭଳି ମାମଲା ରୁଜୁ ହୋଇଥିବା ନେଇ ଗୃହରେ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ। ତେବେ ଯେଉଁ ଦିନ ତତ୍କାଳୀନ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିଲେ, ସେ ସମୟରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଥିଲେ ଅପରାଧୀଙ୍କ ଭିତରେ ଭୟ ରହିଥାନ୍ତା । ହେଲେ ଏପରି ନ ହେବାରୁ ନବୀନ ପଟ୍ଟନାୟକଙ୍କ ସମୟର ଶାନ୍ତିପ୍ରିୟ ଓଡ଼ିଶା ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ନେଇ ଚର୍ଚ୍ଚା ଜୋର ଧରିଛି।