ଜେଲରେ କଟିବ ହାର୍ଡକୋରଙ୍କ ଦଶହରା: ପୂଜା ଦେଖିବେନି, ପେଣ୍ଡାଲ ବୁଲିବେନି

1 min read

ଜୋରଦାର ହେଲାଣି ଡ୍ରାଇଭ ଏଗେନଷ୍ଟ ଆଣ୍ଟିସୋସିଆଲ । ପୂଜା ଦେଖିବେନି, ପେଣ୍ଡାଲ ବୁଲିବେନି ଅପରାଧୀ । ଜେଲରେ କଟିବ ହାର୍ଡକୋରଙ୍କ ଦଶହରା। ମୋଷ୍ଟ ୱାଣ୍ଟେଡଙ୍କୁ ଲିଷ୍ଟ ଧରି ଖୋଜୁଛି ପୋଲିସ । ଏଥର ଦାଗୀଙ୍କ ଦଶହରା କଟିବ ଜେଲରେ । ବିଭିନ୍ନ ଥାନା ମାନଙ୍କରେ ଥିବା ୱାରେଣ୍ଟିଙ୍କୁ ଧରିବାକୁ ତିଆରି ହୋଇଛି ତାଲିକା। ରାଜ୍ୟର ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। ବିଶେଷ କରି ଜାମିନ ବିହିନ ଗିରଫ ପରୱାନା, ଫେରାର ଆସାମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ତା ସହିତ ଅସାମାଜିକଙ୍କୁ ଜିଲ୍ଲା ଓ ସହରରୁ ତଡିପାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦାଗୀ ମାନେ ସହରରେ ରହିଲେ ଲୋକଙ୍କ ପାଇଁ ବିପଦ ଥିବାରୁ ଏହି ପଦକ୍ଷେପ ନେଇଛି ଓଡିଶା ପୁଲିସ । ପର୍ବପର୍ବାଣୀକୁ ଧୁମ ଧାମରେ ପାଳନ ପାଇଁ ଆରମ୍ଭ ହୋଇଛି ଅପରେସନ୍ – ଡ୍ରାଇଭ ଏଗେନଷ୍ଟ ଆଣ୍ଟିସୋସିଆଲ।

ସେପେଟେ ଗତ ସପ୍ତାହେ ମଧ୍ୟରେ ରାଜ୍ୟରେ “ଅପରେସନ୍ ପ୍ରହାର”କୁ ଜୋର ସୋର କରାଯାଇଛି। ଗଞ୍ଜେଇ, ବ୍ରାଉନ ସୁଗାର, କଫ ସିରପ ଚୋରା ଚାଲାଣର ପର୍ଦ୍ଦାଫାଶ ହୋଇଛି। ୧୧୦ଟି ମାମଲା ରୁଜୁ କରି, ୧୫୭ ଜଣଙ୍କୁ ବାନ୍ଧିଛି ପୁଲିସ । ଗଞ୍ଜେଇ ଚୋରା ଚାଲାଣରେ ୭୨ ଟି ମାମଲାରେ ,୪,୮୦୮ କେଜି ଗଞ୍ଜେଇ ଜବତ କରି, ୯୩ ଜଣକୁ ଗିରଫ କରାଯାଇଛି। ବ୍ରାଉନ ସୁଗାର ଚୋରା ଚାଲାଣ କ୍ଷେତ୍ରରେ ୨୭ ଟି ମାମଲା ରୁଜୁ କରି, ୨୩୭୪ ଗ୍ରାମ ଜବତ ସହ ୪୫ ଜଣକୁ ଗିରଫ କରାଯାଇଛି । ୩୦୫୨ ବୋତଲ କଫ ସିରପ ଜବତ ସହ,୧୯ ଜଣ ଗିରଫ ହୋଇଛନ୍ତି । ୧୨୯ BNSS ବଳରେ ୭୦ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଚୋରା ନିଶା ଦ୍ରବ୍ୟ ଚାଲାଣ ଅଭିଯୋଗରେ ୩ ଟି ଦୋକାନକୁ ସିଲ କରିଛି ପ୍ରଶାସନ ।