ସ୍ୱାଭିମାନ ଅଞ୍ଚଳ ଗସ୍ତ ପରେ ଡିଜିପିଙ୍କ ପ୍ରତିକ୍ରିୟା: କହିଲେ, ସରକାର ଓ ସୁରକ୍ଷାବଳ ଉପରେ ବଢ଼ୁଛି ଲୋକଙ୍କ ଭରସା

ଭୁବନେଶ୍ୱର: ଗତ କିଛିବର୍ଷ ହେଲା ଗମନାଗମନ ଓ ଟେଲି କମ୍ୟୁନିକେସନ୍ ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରଥମେ ଗୋଟିଏ ଟେଲିଫୋନ ଟାଓ୍ୱାର ଥିବା ବେଳେ ଏବେ ୫ଟି ଟାଓ୍ୱାର ତିଆରି ହୋଇଛି । ୧୪ଟି ରାସ୍ତା ପାଇଁ ଟେଣ୍ଡର ଦିଆଯାଇଛି, ୭ଟି ରାସ୍ତା କାମ ଜାରି ରହିଛି । ବିଏସଏଫ, ସିଆରପିଏଫ ଓ ଓଡିଶା ପୋଲିସ ସହଯୋଗରେ ମାଓ ମୁକାବିଲା କରାଯାଉଛି । ବିଭିନ୍ନ ସୁରକ୍ଷା ବଳ ମଧ୍ୟରେ ସମନ୍ୱୟ ପୂର୍ବ ଅପେକ୍ଷା ଭଲ ହେଉଛି ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । ସ୍ୱାଭିମାନ ଅଞ୍ଚଳରୁ ଫେରିବା ପରେ ପ୍ରତିକ୍ରିୟା ରଖି ସେ ଆହୁରି କହିଛନ୍ତି ଯେ, ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରହିଛି । ପୂର୍ବ ଅପେକ୍ଷା ସ୍ଥାନୀୟ ଲୋକ ସରକାର ଓ ସୁରକ୍ଷାବଳ ଉପରେ ବିଶ୍ୱାସ ବଢୁଛି । ତେଣୁ ମାଓବାଦୀଙ୍କ ଗତିବିଧି ବାବଦରେ ଆଗୁଆ ସୂଚନା ମିଳିପାରୁଛି । ମାଓ ଦମନ ଅପେକ୍ଷା ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ପ୍ରୟାସ କରାଯାଉଛି । ମାଓବାଦୀମାନେ ସମାଜରେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୁନର୍ବାର ଅନୁରୋଧ କଲେ ଡିଜି ଅଭୟ ।

ସୂଚନା ଯୋଗ୍ୟ, ରବିବାର ଦିନିକିଆ ସ୍ୱାଭିମାନ ଅଞ୍ଚଳ ଗସ୍ତରେ ଯାଇଥିଲେ ପୋଲିସ ଡିଜି ଅଭୟ । ଗତ କିଛିଦିନ ଧରି ସ୍ୱାଭିମାନ ଅଞ୍ଚଳକୁ ମାଓମୁକ୍ତ କରିବା ଲାଗି ପୋଲିସ ଓ ସୁରକ୍ଷା ବାହିନୀ ପଦକ୍ଷେପ ନେବା ଆରମ୍ଭ କରିଦେଇଛି । ପୋଲିସ ଲୋକଙ୍କ ନିକଟତର ହେବା ଲାଗି ସ୍ୱାଭିମାନ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପୋଲିସ ଥାନା, ବିଏସଏଫ କ୍ୟାମ୍ପ ଆଦି ପ୍ରତିଷ୍ଠା କରାଯାଇଛି । ଗତ କିଛି ଦିନ ପୂର୍ବେ ଗୋରାସେତୁ ନିକଟରେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା । ଇତି ମଧ୍ୟରେ ମାଓ ଦମନ ଅଭିଯାନ କରି ପୋଲିସ ଅନେକ ସଫଳତା ମଧ୍ୟ ହାସଲ କରିଛି । ଆନ୍ଧ୍ର, ଓଡିଶା ଓ ବିଏସଏଫ ମିଳିତ ଭାବେ ସର୍ଚ୍ଚ ଓ କୁମ୍ବିଂ ଅପରେସନ ଜାରି ରଖିଛନ୍ତି । ମାଓ ଦମନ ନେଇ ଚାଲିଥିବା ବିଭିନ୍ନ ନୀତି ତଥା ଉନ୍ନୟନ ଯୋଜନାର କାର୍ଯ୍ୟକାରୀ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି ।

Leave a Reply