୬୦ ଛାତ୍ରୀଙ୍କ ଭିଡିଓ ହୋଇନି ଭାଇରାଲ, ନିଜ ଭିଡିଓ କରି ପଠାଇଛନ୍ତି ଅଭିଯୁକ୍ତ ଯୁବତୀ !

ମୋହାଲି: ୬୦ ଛାତ୍ରୀଙ୍କ ଭିଡିଓ କରିନାହାନ୍ତି ଅଭିଯୁକ୍ତ ଛାତ୍ରୀ  । ବରଂ ସେ କେବଳ ନିଜର ଭିଡିଓ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଛାତ୍ରୀ ଜଣକ କେବଳ ନିଜ ଭିଡିଓ କରି ଅଭିଯୁକ୍ତକୁ ପଠାଇଥିଲେ ବୋଲି ସଫେଇ ଦେଇଛନ୍ତି ଏସଏସପି  । ଅଭିଯୁକ୍ତଙ୍କ ମୋବାଇଲ ଫୋନ ଫରେନ୍ସିକ ଯାଞ୍ଚ ପାଇଁ ପଠାଯିବ  । ଏଣୁ ଭୁଲ ସୂଚନା ଦେଇ ଅପପ୍ରଚାର ନ କରିବାକୁ ଗଣମାଧ୍ୟମକୁ ନିବେଦନ କରିଛନ୍ତି ପୋଲିସ ଅଧିକାରୀ  ।

 

ସେହିପରି ଏହି ମାମଲାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି  । ପୋଲିସ ପାଖରେ ଯଥେଷ୍ଟ ପ୍ରମାଣ ଅଛି  । ତଥାପି ଆହୁରି ପ୍ରମାଣ ଏକଜୁଟ୍‌ କରିବା ପାଇଁ ପୋଲିସ ତଦନ୍ତ ଚଳାଇଛି  । ଛାତ୍ରୀ ଜଣଙ୍କ କାହିଁକି ଭିଡିଓ କରି ଶିମଲା ଯୁବକଙ୍କୁ ପଠାଉଥିଲେ ସେନେଇ କାରଣ ଖୋଜୁଛି ପୋଲିସ  ।

 

ଗର୍ଲସ ହଷ୍ଟେଲ ଭିଡିଓ ଭାଇରାଲକୁ ନେଇ ଆଜି ଚଣ୍ଡିଗଡ଼ରେ ଥିବା ବିଶ୍ବବିଦ୍ୟାଳୟ  କ୍ୟାମ୍ପସରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ୮ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ କ୍ୟାମ୍ପସରେ ଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ହଷ୍ଟେଲରେ ଜଣେ ଛାତ୍ରୀ ସେହି ହଷ୍ଟେଲରେ ରହୁଥିବା ପ୍ରାୟ ୬୦ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ବାଥରୁମରେ ସିକ୍ରେଟ କ୍ୟାମେରା ଯୋଗେ ଛାତ୍ରୀମାନଙ୍କ ଭିଡିଓ ରେକର୍ଡ କରୁଥିଲେ । ଭିଡିଓ ସୁଟ କରି ଛାତ୍ରୀଜଣଙ୍କ ତାଙ୍କ ବୟଫ୍ରେଣ୍ଡଙ୍କୁ ପଠାଉଥିବା ଅଭିଯୋଗ ହୋଇଛି ।

ଅନଲାଇନରେ ଭିଡିଓ ଲିକ୍‌ ହେବା ପରେ କିଛି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୋଲିସ ଓ ମହିଳା କମିସନ ଅଧ୍ୟକ୍ଷ କ୍ୟାମ୍ପସରେ ପହଞ୍ଚିଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି । ସେପଟେ ଅଭିଯୁକ୍ତ ଛାତ୍ରୀ କେବଳ ନିଜ ଭିଡିଓ ସୁଟ କରିଥିବା ବେଳେ ଅନ୍ୟ କୌଣସି ଛାତ୍ରୀଙ୍କ ଭିଡିଓ ରେକର୍ଡ କରି ନଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।