ପୋଲିସକୁ ଟେନସନ ଅଜଣା ମୃତଦେହ ; ନିଜେ କରିବ ଶବ ସତ୍କାର

ଭୁବନେଶ୍ବର : ପୁଣି ପୋଲିସକୁ ଟେନସନ ଦେଲା ଅଜଣା ମୃତଦେହ। ପରିଚୟ ଖୋଜିଖୋଜି ନାକେଦମ ଓଡିଶା ପୋଲିସ। ୪୮ ଘଣ୍ଟା ପରେ ବି ମୃତଦେହର ମିଳୁନି ପରିଚୟ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରେଳଡବା ମରାମତି କାରଖାନା ନିକଟ ଖେଳପଡ଼ିଆରୁ ମୃତଦେହ ମିଳିବା ଘଟଣାରେ ପୋଲିସ ହାତ ଖାଲି ରହିଛି। ଅଭିଯୁକ୍ତକୁ ଧରିବା ଦୂରର କଥା, ମୃତକଙ୍କ ପରିଚୟ ମଧ୍ୟ ମିଳିପାରିନାହିଁ। ମୃତଦେହ ବ୍ୟବଚ୍ଛେଦ ସରିଥିଲେ ସୁଦ୍ଧା ପରିବାର ଲୋକେ ଚିହ୍ନଟ କରିନଥିବାରୁ ମୃତଦେହ ସତ୍କାର ହୋଇପାରିନାହିଁ। ଆଜି କେହି ମୃତଦେହକୁ ଚିହ୍ନଟ ନକଲେ ପୋଲିସ ସତ୍ୟନଗରରେ ନିଜେ ଶବ ସତ୍କାର କରିବ। ବିଭିନ୍ନ ଥାନାକୁ ଏ ସମ୍ପର୍କରେ ଜଣାଯାଇଛି।

କମିଶନରେଟ ଥାନା ଅଧୀନରେ ହୋଇଥିବା ମିସିଂ ରିପୋର୍ଟ ଗୁଡିକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ତଥାପି ପରିଚୟ ନମିଳିଲେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବ ପୋଲିସ। ଥାନା ଓ ଛକ ବଜାର ମାନଙ୍କରେ ପୋଷ୍ଟର ମରାଯିବ। ସୂଚନା ମୁତାବକ ୭ ସେପ୍ଟେମ୍ବର ସନ୍ଧ୍ୟା ସମୟରେ ଖେଳପଡ଼ିଆ ନିକଟ ଶୌଚାଳୟ ପଛପଟେ ଏକ ମୃତଦେହ ଗଳିତ ଅବସ୍ଥାରେ ପଡିଥିବା କିଛି ପିଲା ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ପୋଲିସ, ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ପହଁଚି ଛାନଭିନ ଆରମ୍ଭ କରିଥିଲେ। ମୃତଦେହରେ କ୍ଷତ ଚିହ୍ନ ଥିବା ବେଳେ ମୃତକ ଜଣଙ୍କ ଦାମୀ ଘଣ୍ଟା ଓ ବ୍ରାଣ୍ଡେଡ଼ ବେଲ୍ଟ ପିନ୍ଧିଥିବା ଜାଣିବାକୁ ପାଇଥିଲା ଟିମ।