ଖେଳ ଦେଖିବାକୁ ଯାଉଥିଲେ ମାନିବେ ଏହି ନିୟମ, ନଚେତ କାର୍ଯ୍ୟାନୁଷ୍ଠାନ..

କଟକ: ବିନା ମାସ୍କରେ ଷ୍ଟାଡିୟମ ମନା । ଖେଳ ଦେଖିବା ବେଳେ ବିଶୃଙ୍ଖଳା କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ସୁରକ୍ଷା ବ୍ୟବସ୍ଥାର ତଦାରଖ କରି ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଷ୍ଟାଡିୟମ ଭିତରେ ପାଖାପାଖି ୫୦ହଜାର ଓ ବାହାରେ ୧୫ରୁ ୨୦ହଜାର ଦର୍ଶକ ରହିବେ । ୨୦ହଜାରରୁ ଅଧିକ ବାଇକ ପାର୍କିଂ ହୋଇପାରେ ।

ସମସ୍ତ ସ୍ଥିତିକୁ ନଜରରେ ରଖି ପ୍ରସ୍ତୁତି କରାଯାଇଛି । ଷ୍ଟାଡିୟମ ଭିତରକୁ ଖାଦ୍ୟ, ପାଣି ବୋତଲ ଆଣିପାରିବେନି ଦର୍ଶକ । ସାଧାରଣ ଦର୍ଶକଙ୍କ ପାଇଁ ୫ଟି ସ୍ଥାନରେ ପାର୍କିଂ ସ୍ଥଳ କରାଯାଇଛି । ପ୍ରତ୍ୟେକ ଗ୍ୟାଲେରୀରେ ମୁତୟନ ହେବେ ପୋଲିସ । ଷ୍ଟାଡିୟମ ଭିତରେ ରହିବ କ୍ବିକ୍ ଆକ୍ସନ ଟିମ୍ । କାହାର କେଉଁ ଡ୍ୟୁଟି ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି । ଦର୍ଶକଙ୍କ ଆଗରେ କୌଣସି ପୋଲିସ ଠିଆ ହୋଇପାରିବେନି । ପୋଲିସ ଇଭେଣ୍ଟକୁ ଉପଭୋଗ ନକରି ଦାୟିତ୍ବ ତୁଲାଇବ ବୋଲି କହିଛନ୍ତି କମିଶନର । ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରାଯାଉଛି ।

ଟ୍ରାଫିକ୍ କର୍ମଚାରୀଙ୍କୁ ଦାୟିତ୍ୱ ବାଣ୍ଟି ଦିଆଯାଇଛି । କଟକରେ ୬୨ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । କଟକରେ କଟକ ଡିସିପିଙ୍କ ସମେତ ଅନ୍ୟ ୩ ଜଣ ଡିସିପି ନିୟୋଜିତ ହେଉଥିବାବେଳେ ଜଣ ଅତିରିକ୍ତ ଡିସିପି ଦାୟିତ୍ବ ତୁଲାଇବେ ।ଏହା ସହିତ ୨୩ ଜଣ ଏସିପି, ୪୧ଜଣ ଇନ୍ସପେକ୍ଟର ଓ ସୁବେଦର, ୨୭୦ ଜଣ ଏସଆଇ ଓ ଏଏସଆଇ, ୨୦୦ କନେଷ୍ଟବଳ, ୨୫ ଟ୍ରାଫିକ ହାବିଲଦାର ଓ ୬୦ ଜଣ ଟ୍ରାଫିକ କନେଷ୍ଟବଳ ମୁତୟନ ହେବେ ।