ରହସ୍ୟ ଘେରରେ ଡ୍ରାଇଭରଙ୍କ ମୃତ୍ୟୁ ଘଟଣା: ଶବ ବ୍ୟବଚ୍ଛେଦ ରିପୋର୍ଟ ଅପେକ୍ଷାରେ ପୋଲିସ

ଢେଙ୍କାନାଳ: ରହସ୍ୟ ଘେରରେ ଢେଙ୍କାନାଳ ଶକ୍ତି ସୁଗାର ୩ ଟ୍ୟାଙ୍କର ଡ୍ରାଇଭରଙ୍କ ମୃତ୍ୟୁ ଘଟଣା । ମୃତ୍ୟୁକୁ ୨ ଦିନ ବିତିଯାଇଥିଲେ ବି କାରଣ ଏବେବି ଅସ୍ପଷ୍ଟ ରହିଛି । ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ସେପଟେ ମୃତଦେହ ନେବା ପାଇଁ କୋଲକାତାରୁ ଢେଙ୍କାନାଳ ପହଞ୍ଚିଛନ୍ତି ପରିବାର ଲୋକ ।
ରାତିର ରୋଷେଇ ସରିବା ପରେ ଚାଉଳ, ଡାଲି, ପରିବା, ଅଟା ଓ ତେଲ ବଳିଯାଇଥିଲା । ରୋଷେଇ ପାଇଁ ଟ୍ରକ ତଳେ ଷ୍ଟୋଭ ବି ଥିଲା । ରାତି ପାହିଲେ ରୋଷେଇ କରି ଖାଇଥାନ୍ତେ । କିନ୍ତୁ ରାତି ଅଧରେ ହିଁ ଆଖି ବୁଜିଦେଲେ ଏହି ୩ ଡ୍ରାଇଭର । ଢେଙ୍କାନାଳ ଶକ୍ତି ସୁଗାର ମିଲ୍ ଆଗରେ ଚାଲିଗଲା ୩ ଟ୍ୟାଙ୍କର ଡ୍ରାଇଭରଙ୍କ ଜୀବନ ।
ଘଟଣାକୁ ଦୁଇ ଦିନ ବିତିଗଲାଣି । କିନ୍ତୁ ଏବେବି ରହସ୍ୟ ଘେରରେ ରହିଛି ମୃତ୍ୟୁର କାରଣ । ମୃତ୍ୟୁ ଖବର ମିଳିବା ପରେ କୋଲକାତାରୁ ଆସି ପହଞ୍ଚିଛନ୍ତି ଢେଙ୍କାନାଳ ପହଞ୍ଚିଛନ୍ତି ପରିବାର ଲୋକେ । ସେମାନେ ବି ଖୋଜୁଛନ୍ତି ମୃତ୍ୟୁର କାରଣ ।
ଡ୍ରାଇଭରଙ୍କ ମୃତ୍ୟୁକୁ ଦୁଇ ଦିନ ବିତିଗଲେ ବି ପୋଲିସ ଅନ୍ଧାରରେ ବାଡି ବୁଲାଉଛି । ଟ୍ୟାଙ୍କର ଡ୍ରାଇଭର ଶକ୍ତି ସୁଗାର ମିଲ୍ସରୁ ସ୍ପିରିଟ ନେବାକୁ ଆସିଥିବା ପରିବାର ଲୋକେ କହିଛନ୍ତି । ତେବେ ମୃତ୍ୟୁ ପଛରେ ସ୍ପିରିଟ ନା ବିଷାକ୍ତ ଖାଦ୍ୟ ତାହା ଏଯାଏ ସ୍ପଷ୍ଟ ହୋଇପାରିନି । ଶବ ବ୍ୟବଛେଦ ରିପୋର୍ଟକୁ ଚାହିଁ ବସିଛି ପୋଲିସ ଓ ଅବକାରୀ ବିଭାଗ ।
ଶକ୍ତି ସୁଗାର ମିଲ୍ ଅନେକ ସମୟରେ ବେଆଇନ ଭାବେ ସ୍ପିରିଟ ବିକ୍ରି କରୁଥିବା ଚର୍ଚ୍ଚା ହେଲାଣି । ଏନେଇ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ ଝାଡିଲେଣି । ସ୍ଥାନୀୟ ସମାଜସେବୀ ସଙ୍ଗଠନ କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦାବି କଲେଣି ।