ପୋଲିସ ଅଧିକାରୀଙ୍କୁ ଗାତରେ ପକାଇ ହାଣିବାକୁ ଉଦ୍ୟମ

କୋରାପୁଟ: ଚୀନାମାଟି ଖନନକୁ ନେଇ କୋରାପୁଟ ଜିଲ୍ଲା ଲମତାପୁଟରେ ଲଙ୍କାକାଣ୍ଡ । ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଦ୍ବାରା ଅଟକ କମ୍ପାନୀ ସୁରକ୍ଷା କର୍ମୀଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ ଆକ୍ରମଣର ଶିକାର । ନନ୍ଦପୁର ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ । ଭିଡିଓ ହେଉଛି ଭାଇରାଲ । ପୋଲିସକୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ।

ମିଳିଥିବା ସୂଚନା ଅନୁସାରେ, ଲମତାପୁଟ ବ୍ଲକ ଅନ୍ତର୍ଗତ କୁମାର ର୍ଗନ୍ଧଣା ପଞ୍ଚାୟତ ଅଞ୍ଚଳରେ ଚୀନାମାଟି ଖନନକୁ ନେଇ ଦୀର୍ଘ ୪ ବର୍ଷ ହେଲା ବିବାଦ ଲାଗି ରହିଛି । ଚୀନାମାଟି ସୁରକ୍ଷା ସମିତି ପକ୍ଷରୁ ଖଣି ଖନନକୁ ବିରୋଧ କରାଯାଇ ଆଓୁଛି । ଚୀନା ମାଟି ଖନନ କରୁଥିବା କମ୍ପାନୀ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି  ଉନ୍ନୟନ ମୂଳକ କାର୍ଯ୍ୟ କରୁ ବୋଲି ଦାବି ହୋଇ ଆସୁଛି । ଏହାସହ ମାଲିକାନା ଜମିଗୁଡ଼ିକକୁ କ୍ଷତିପୂରଣ ଦିଆଯିବା ପରେ ମାଟି ଖନନକୁ ଅନୁମତି ଦେବାକୁ ୪ ବର୍ଷ ହେଲା ଗ୍ରାମବାସୀ ଦାବି କରି ଆସୁଛନ୍ତି ।

କମ୍ପାନୀର ସୁରକ୍ଷା କର୍ମୀମାନେ ଚୀନାମାଟି ଖନନ ଜାଗାକୁ ଯାଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ଶହେରୁ ଊର୍ଦ୍ଧ୍ବ ଗ୍ରାମବାସୀ ସୁରକ୍ଷା କର୍ମୀଙ୍କୁ ଅଟକାଇବା ସହ ଧମକଚମକ ଦେଇଥିଲେ । ଖବର ପାଇ ନନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ହେଲେ ଉତ୍ତ୍ୟକ୍ତ ଗ୍ରାମବାସୀ ନନ୍ଦପୁର ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ତାଙ୍କୁ ଧକ୍କା ମାରି ଏକ ଗାତରେ ପକାଇ ଦେଇଥିଲେ । ଅନ୍ୟ ପୋଲିସ କର୍ମୀମାନେ ଥାନା ଅଧିକାରୀଙ୍କୁ ଉଦ୍ଧାର କରିଥିଲେ । ପରେ ବୁଝାଶୁଝା ପରେ ଗ୍ରାମବାସୀ ଖଣି କମ୍ପାନୀର ସୁରକ୍ଷା କର୍ମୀଙ୍କୁ ଛାଡିଥିଲେ ।

ଅନ୍ୟପକ୍ଷରେ ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା । ପରେ ପୋଲିସ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି ।