ଛେଳି ଚୋରି ପଡ଼ିଲା ମହଙ୍ଗା: ନିଲମ୍ବିତ ହେଲେ ପୋଲିସ ଏଏସଆଇ

ବଲାଙ୍ଗୀର: ବାଡ଼ ଫସଲ ଖାଇଲେ ସେ କ୍ଷେତକୁ ଉଜୁଡ଼ିବାରୁ କେହି ଅଟକାଇ ପାରିବେନି । ବଲାଙ୍ଗୀର ଜିଲ୍ଲାରେ ଜଣେ ପୋଲିସ ବାବୁ ଏହି ବହୁ ପ୍ରଚଳିତ ଋଢ଼ି ଭଳି କାମ କରି ଫସିଛନ୍ତି । ପୋଲିସ ବାବୁ ଚୋରି ଅଟକାଇବେ କ’ଣ ନିଜେ ଚୋରି କରି ନିଲମ୍ବିତ ହୋଇଛନ୍ତି ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୋଲିସ ବାବୁ ଜଣଙ୍କ କାହା ଘରେ ପଶି କିଛି ଚୋରି କରିନାହାନ୍ତି କି କୌଣସି ଦୋକାନରେ ପଶି ଲୁଟି ନାହାନ୍ତି । ମହାଶୟ ଏକ ଛେଳି ଚୋରି କରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । ଘଟଣା ଘଟିଛି ବଲାଙ୍ଗୀର ସିନ୍ଧକେଲା ଥାନା ଅଞ୍ଚଳରେ । ନିଲମ୍ବିତ ହୋଇଥିବା ପୋଲିସ ବାବୁ ଜଣଙ୍କ ଥାନାର ଏଏସଆଇ ସୁମନ ମଲ୍ଲିକ । ବଲାଙ୍ଗୀର ଏସପି ନୀତିନ କୁସଲକର ସୁମନଙ୍କୁ ନିଲମ୍ବିତ କରିଛନ୍ତି । ନୂଆବର୍ଷରେ ଭୋଜି କରିବା ଲୋଭରେ ପୋଲିସ ବାବୁ ଏହି କାଣ୍ଡ ଘଟଇଛନ୍ତି ।

ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟାରେ ଏକ ଛେଳି ଥାନା ଭିତରକୁ ପଶି ଯାଇଥିଲା । ହେଲେ ରାତି ପର୍ଯ୍ୟନ୍ତ ଛେଳିଟି ଥାନାରୁ ଫେରି ନଥିଲା । ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ଛେଳି ନମିଳିବାରୁ ମାଲିକ ଗ୍ରାମବାସୀଙ୍କୁ ସବୁ କଥା କହିଥିଲେ । ଏହାପରେ ଗ୍ରାମବାସୀ ଏକାଠି ହୋଇ ଥାନା ପରିସରରେ ଖୋଜାଖୋଜି କରିବା ପରେ ପଛପଟେ ରକ୍ତ ଓ ଛେଳିର ହାଡଗୋଡ଼ ପଡ଼ିଥିବା ଦେଖିବାକୁ ପାଇଥିଲେ ।

ଏହାପରେ ଛେଳି ମାଲିକ ଥାନାରେ ଅଭିଯୋଗ କରିଥିଲେ । ହେଲେ ସୁମନ ତାଙ୍କୁ ନେଇ କେଉଁଆଡେ ଫେରାର ହୋଇଯାଇଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀ ଏକାଠି ହେବା ସହ ଥାନା ଘେରାଉ କରି ଅଭିଯୁକ୍ତ ଏଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।

ଆଜି ସକାଳୁ ଘଟଣା ଏସପି ନୀତିନ କୁସଲକରଙ୍କ ପାଖରେ ପହଞ୍ଚି ଥିଲା । ଏହାପରେ ଏସପି କାର୍ଯ୍ୟନୁଷ୍ଠାନ ସ୍ବରୂପ ଏଏସଆଇ ସୁମନଙ୍କୁ ଚାକିରିରୁ ନିଲମ୍ବିନ କରିଛନ୍ତି ।

Leave a Reply