୧୦ ଟଙ୍କା ଦେଇ ଏମିତି ଲକ୍ଷେ ଟଙ୍କାର ଅଳଙ୍କାର କିଣୁଥିଲେ ଏମବିଏ ପଢ଼ୁଆ ଯୁବକ

1 min read
Police Arrested Thief Who Travelled Through Flight For Jewellery Cheating

ଭୁବନେଶ୍ୱର: କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ୱାଡ୍ ଓ ତମାଣ୍ଡୋ ପୋଲିସ କବଜାରେ ହାଇ ପ୍ରୋଫାଇଲ ଠକ । କୋଲକାତାରୁ ଠକକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଠକ ଜଣକ ଦେଶ ସାରା ବିମାନରେ ବୁଲି ବୁଲି ଠକେଇ କରୁଥିବା ଜଣାପଡ଼ିଛି । ମାୟାନଗରୀ ମୁମ୍ବାଇରୁ ନେଇ କୋଲକାତା, ଦିଲ୍ଲୀରୁ ଇମ୍ଫାଲ ସବୁଠୁ ସମାନ ତରିକାରେ ଠକ ଜଣଙ୍କ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଠକି ନେଇଛି । ଠକର ନାଁ ହେଉଛି ରାଜୀବ ପ୍ରଭାସ ଗୁପ୍ତା ।

ଗତ ୧୫ ତାରିଖରେ ରାଜବୀ ପାତ୍ରପଡ଼ା ସ୍ଥିତ ଡିଏନ୍ ରେଗାଲିଆ ମଲରେ ଥିବା ନିମନ୍ତ୍ରଣ ଜୁଏଲର୍ସକୁ ଯାଇଥିଲେ । ସେଠାରେ ଲକ୍ଷାଧିକ ଟଙ୍କାର ରୂପା ଓ ସୁନା ଅଳଙ୍କାର କିଣିଥିଲେ । ନଗଦ ଟଙ୍କା ଦେବା ବଦଳରେ ଠକ ଜଣଙ୍କ ଏକ ନକଲି ୟୁପିଆଇ ନେଣଦେଣର ସ୍କ୍ରିନ୍ ସଟ୍ ଦେଖାଇଥିଲା । ଏମିତି ଭାବେ ଭୂଆଁ ବୁଲେଇ ଅଳଙ୍କାର ନେଇ ଖସି ଆସିଥିଲା ଠକ । ଏନେଇ ଅଭିଯୋଗ ପରେ ତମାଣ୍ଡୋ ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ ଆରମ୍ଭ କରିଥିଲା ଛାନଭିନ୍ ।

 Police Arrested Thief Who Travelled Through Flight For Jewellery Cheating

ବିମାନରେ ବୁଲୁଥିଲେ, ଷ୍ଟାର ହୋଟେଲରେ ରହୁଥିଲେ

ନାଭି ମୁମ୍ବାଇର ସାଉଥ୍ ଇଣ୍ଡିଆ ଏଜୁକେସନାଲ୍ ସୋସାଇଟିରୁ ଏମବିଏ ପଢ଼ିଥିବା ରାଜୀବ ଦେଶ ସାରା ବିଭିନ୍ନ ଜୁଏଲାରୀ ସପକୁ ଠକିଛନ୍ତି । ପ୍ରତି ମାମଲାରେ ସେ ପ୍ରାୟ ଲକ୍ଷ ଟଙ୍କାର ସୁନା ଗହଣା କିଣି ଅନଲାଇନ୍ ୟୁପିଆଇ ପେମେଣ୍ଟ ପାଇଁ ତଥ୍ୟ ମାଗୁଥିଲା । ପ୍ରଥମେ ବିଶ୍ୱାସଭାଜନ ପାଇଁ ୧୦ ଟଙ୍କା ପଠାଇ ଭରସା ଜିତୁଥିଲା । ଏହାପରେ ଫେକ୍ ସ୍କ୍ରିନ୍ ସଟରେ ଲକ୍ଷେ ଟଙ୍କା ପଠାଇଥିବା କହୁଥିଲା । ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉନଥିଲା । ଠକ କହୁଥିଲା- କିଛି ନେଟୱର୍କ ସମସ୍ୟା ଅଛି, ସେଥିପାଇଁ ପେମେଣ୍ଟ ହୋଇଥିଲେ ମଧ୍ୟ ଦେଖାଉ ନାହିଁ ।

ଏଭଳି ଭାବେ ଠକ ଜଣଙ୍କ ଦେଶର ବିଭିନ୍ନ ଜୁଏଲାରୀ ସପକୁ ଠକୁଥିଲେ । ଲକ୍ଷେ ଟଙ୍କାର ଗହଣା କିଣିବା ନାଁରେ ଦୁଇ ଲକ୍ଷ ଟଙ୍କା ଚୂନ ଲଗାଉଥିଲେ । ଏପରିକି ସେ ରହୁଥିବା ବିଭିନ୍ନ ଷ୍ଟାର ହୋଟଲ୍ ମଧ୍ୟ ଏଭଳି ଠକେଇର ଶିକାର ହୋଇଛନ୍ତି ।

 Police Arrested Thief Who Travelled Through Flight For Jewellery Cheating

କେମିତି ଧରା ପଡ଼ିଲା ?

ଗହଣ କିଣିବା ବେଳେ ଠକ ଏକ ସତ ପ୍ୟାନ୍ କାର୍ଡ ଦେଉଥିଲା । ସେହି ପ୍ୟାନ୍ କାର୍ଡ ହିଁ ତାକୁ ଧରା ପକାଇ ଦେଇଛି । ଠକେଇ ପରେ ରାଜୀବ ଦିଲ୍ଲୀରୁ ଇମ୍ଫାଲ, ଇମ୍ଫାଲରୁ କୋଲକାତା ଯାଉଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହା ପରେ ତମାଣ୍ଡୋ ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ କୋଲକାତା ବିମାନବନ୍ଦରରୁ ଠକକୁ ଗିରଫ କରିଥିଲା ।

ଠକ ଠାରୁ ୨ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଜବତ କରାଯାଇଛି । ଯାହାକୁ ସେ ଭୁବନେଶ୍ୱର ଓ ପୁରୀରୁ ଠକେଇ କରିଥିଲା । ୩ଟି ଏଟିଏମ୍, ଗୋଟିଏ ମୋବାଇଲ ଓ ପ୍ୟାନ୍ କାର୍ଡ ଜବତ ହୋଇଛି । ଠକ ଜଣଙ୍କ ମୁମ୍ବାଇର ୩୭ ବର୍ଷୀୟ ରାଜୀବ ପ୍ରଭାସ ଗୁପ୍ତା । ତା’ ପରିବାରରେ କେହି ନଥିବା ବେଳେ ସେ ମୁମ୍ବାଇ ସହ ବିଭିନ୍ନ ହୋଟେଲରେ ରହି ସମାନ ଧରଣରେ ଠକୁ ଥିଲା । କମିଶନରେଟ୍ ପୋଲିସ ଦିଲ୍ଲୀ, ଇମ୍ଫାଲ, ମୁମ୍ବାଇ ପୋଲିସ ସହ ଯୋଗାଯୋଗରେ ରହିଛି । ଠକ ନାମରେ ଆଉ କେଉଁ କେଉଁ ଅଭିଯୋଗ ରହିଛି ତାହା ଜାଣିବା ପାଇଁ ସିସିଟିଏନସର ସାହାଯ୍ୟ ନେବ କମିଶନରେଟ ପୋଲିସ ।

Leave a Reply