କରଓ୍ବାଚୌଥରେ ହତ୍ୟାକାରୀ ପତିକୁ ଧରାଇଲେ ପତ୍ନୀ, କହିଲେ- ‘ଗୁଳି ମାରିବନି’

1 min read

ନୂଆଦିଲ୍ଲୀ: କରଓ୍ବାଚୌଥରେ ହତ୍ୟାକାରୀ ପତିଙ୍କ ଜୀବନ ବଞ୍ଚାଇବାକୁ ପତ୍ନୀ ନେଲେ ବଡ଼ ନିଷ୍ପତ୍ତି । ଫେରାର ପତିକୁ ପୋଲିସ ହାତରେ ଧରାଇଲେ ପତ୍ନୀ । ଅନୁରୋଧ କରି କହିଲେ- ତାଙ୍କ ପାଇଁ କରଓ୍ବାଚୌଥ କରିଛି, ଗୁଳି ମାରିବନି । ଏମିତି ଘଟଣା ଘଟିଛି ଦିଲ୍ଲୀରେ ।

ରବିବାର ଦ୍ବାରିକା ଡିସିପି ଶଙ୍କର ଚୌଧୁରୀଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା । ଅନ୍ୟପଟରୁ ଜଣେ ମହିଳା କହିଥିଲେ ମୋ ସ୍ବାମୀ ଫେରି ଆସିଛନ୍ତି । ଏହା ଜାଣିବା ପରେ ଡିସିପି ସଦଳବଳେ ମହିଳାଙ୍କ ଘରେ ପହଞ୍ଚି ଅଭିଯୁକ୍ତ ରାଜୀବ ଗୁଲାଟିଙ୍କୁ ଗିରଫ କରିଥିଲେ ।

ଗତ ୧୯ ଅକ୍ଟୋବରରେ ନଜଫଗଡ଼ ରାମଗଡ଼ରେ ଏକ ଦୋକାନରେ ପଶି ରାଜୀବ ଜଣେ ବୟସ୍କ ମହିଳା ଏବଂ ତାଙ୍କ ଝିଅକୁ ଗୁଳି ମାରି ଦେଇଥିଲେ । ଘଟଣାରେ ବୟସ୍କ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏହା ପରଠାରୁ ରାଜୀବ ଫେରାର ହୋଇଯାଇଥିଲେ ।

ରବିବାର କରଓ୍ବାଚୌଥ ଥିବାରୁ ପତ୍ନୀଙ୍କୁ ଭେଟିବାକୁ ରାଜୀବ ଘରକୁ ଆସିଥିଲେ । ଏପଟେ ପତ୍ନୀ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଡିସିପି ନିଜେ ରାଜୀବଙ୍କ ଘରେ ପହଞ୍ଚିବା ସହ ତାଙ୍କ କଲର ଧରି ଘୋଷଡ଼ି ଘୋଷାଡ଼ି ବାହାରକୁ ଆଣିଥିଲେ । ଏହାସହ ହତ୍ୟାରେ ବ୍ୟବହୃତ ପିସ୍ତଲ ବି ପୋଲିସ ଜବତ କରିଥିଲା । ପୀଡ଼ିତଙ୍କ ପରିବାର ଓ ରାଜୀବଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଥିଲା । ଯେଉଁଥି ପାଇଁ ରାଜୀବ ଏଭଳି ଜଘନ୍ୟ କାଣ୍ଡ କରି ବସିଲେ ।

ଅଭିଯୁକ୍ତଙ୍କ ପତ୍ନୀ କହିଛନ୍ତି, ‘ସେ ହତ୍ୟା କରି ଫେରାର ହେବା ପରଠାରୁ ମନରେ ଭୟ ଥିଲା । କାଳେ ପୋଲିସ ଏନକାଉଣ୍ଟରରେ ତାଙ୍କୁ ମାରି ଦେବ ସେହି ଭୟରେ ଦିନ କଟୁଥିଲା । କରଓ୍ବାଚୌଥରେ ସେ ଯେତେବେଳେ ମୋତେ ଦେଖାକରିବାକୁ ଆସିଥିଲେ ତାଙ୍କ ଜୀବନ ବଞ୍ଚାଇବାକୁ ଫୋନ୍ କରି ପୋଲିସକୁ ଖବର ଦେଇଥିଲି ।’

Leave a Reply